ଚନ୍ଦ୍ରକଳା କଥା

 

ତୃତୀୟଦିନ ସକାଳେ ଭୋଜରାଜ ସ୍ନାନତର୍ପଣାଦି ସାରି ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ତୃତୀୟ ପୁତ୍ତଳିକା ଛିଡାହୋଇ ତାଙ୍କର ରାସ୍ତା ଅବରୋଧ କରି କହିଲା, “ମହାରାଜ! ମୁଁ ଚନ୍ଦ୍ରକଳା କହୁଛି, ଆପଣ ଏ ସିଂହାସନର ଲୋଭ ମନରୁ ପୋଛି ଦିଅନ୍ତୁ । କାରଣ ଆପଣ କେବେ ବିକ୍ରମାଦିତ୍ୟଙ୍କ ପରି ନ୍ୟାୟବିଚାର ଦେଇ ପାରିବେ ନାହିଁ । ତଥାପି ମୁଁ ଯାହା କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଯେ ଆପଣ ତାଙ୍କ ସହିତ ନ୍ୟାୟ ପ୍ରଦାନରେ କେତେଦୂର ସମକକ୍ଷ ।” ଚନ୍ଦ୍ରକଳା ତାହାପରେ କହାଣୀ କହିବାକୁ ଆରମ୍ଭକଲା:

       ବହୁ ପ୍ରାଚୀନ କାଳର କଥା । ଭାଗ୍ୟ ଏବଂ ପୁରୁଷାର୍ଥ ମଧ୍ୟରେ ବିବାଦ ଦେଖାଦେଲା ସେମାନଙ୍କର ଉତ୍କର୍ଷତା ନେଇ, ଦୁହିଁଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଜାଣିବା ପାଇଁ ସେମାନେ ଦେବରାଜ ଇନ୍ଦ୍ରଙ୍କ ପାଖରେ ପହଁଚିଲେ ।

       ସେମାନଙ୍କ କଥା ଶୁଣିବା ପରେ ଦେବରାଜ ବେଶ ଦ୍ୱନ୍ଦରେ ପଡିଗଲେ । କାହାକୁ ବଡ କହିବେ? କାହାକୁ ଛୋଟ କହିବେ? ଏଣୁ ସୁବିଚାର ପାଇଁ ସେମାନଙ୍କୁ ସେ ବିକ୍ରମାଦିତ୍ୟଙ୍କ ପାଖକୁ ପଠାଇଦେଲେ । ସେମାନେ ମର୍ତ୍ୟରେ ପହଁଚି ମହାରାଜାଙ୍କ ଦରବାରକୁ ଯାଇ ପ୍ରସଙ୍ଗ ଉପସ୍ଥାପନା କଲେ । ଅନେକ ଚିନ୍ତାକରି ମହାରାଜ ବିକ୍ରମାଦିତ୍ୟ ଛ’ ମାସ ସମୟ ନେଲେ ।

       ଅନେକ ଚିନ୍ତାକରି ମଧ୍ୟ କିଛି ନିଷ୍ପତି ନେଇପାରିଲେ ନାହିଁ ମହାରାଜ୍ । ଶେଷରେ ଭାବିଲେ ସାଧାରଣ ନାଗରିକଙ୍କ ସହିତ ମିଶି ସମସ୍ୟାର ସମାଧାନ କରିବେ । ଏଣୁ ରାଜପୋଷାକ ତ୍ୟାଗ କରି ଜଣେ ସାଧାରଣ ପ୍ରଜାଭଳି ବେଶଭୂଷା ଧାରଣ କରି ବିଭିନ୍ନ ସ୍ଥାନ ଭ୍ରମଣ କରିଲେ । ବହୁ ଲୋକଙ୍କ ସହ ଆଲୋଚନା କଲେ । କୌଣସି ନିଷ୍ପତି ଦେଇ ନପାରି କାଳେ ଅନ୍ୟରାଜ୍ୟର ଲୋକମାନେ ଅଧିକ ବିଜ୍ଞ ଓ ଚତୁର ହୋଇଥିବେ ଭାବି ଯାତ୍ରାକଲେ ।

       ଏକ ରାଜ୍ୟରେ ପହଁଚି ବିକ୍ରମାଦିତ୍ୟ ଜଣେ ବ୍ୟବସାୟୀଙ୍କ ପାଖରେ ଚାକିରୀଟିଏ ଯୋଗାଡ କଲେ । ବ୍ୟବସାୟୀ ତାର ପୂର୍ବନିର୍ଦ୍ଧାରିତ ଯୋଜନା ଅନୁସାରେ କିଛି ଅନୁଚରଙ୍କୁ ନେଇ ଜାହାଜରେ ବିଦେଶ ଯାତ୍ରା କଲେ । ସେମାନଙ୍କ ସହିତ ରାଜା ବିକ୍ରମାଦିତ୍ୟ ମଧ୍ୟ ଗଲେ । ଦୈବାତ୍ ସମଦ୍ରରେ ଝଡ ଆସିଲା । ଏକ ଦ୍ୱୀପ ନିକଟରେ ଜାହାଜରେ ଲଙ୍ଗର ପକାଇ ସମସ୍ତେ ଅପେକ୍ଷାକଲେ । ପରଦିନ ଝଡ ଥମିଗଲା । ମାତ୍ର ଯେତେ ଚେଷ୍ଟାକଲେ ମଧ୍ୟ ଜାହାଜ ଉଠିଲା ନାହିଁ । ଶେଷରେ ମାଲିକ ବିକ୍ରମାଦିତ୍ୟଙ୍କୁ ଡାକିଲେ । କାରଣ କାମରେ ନିଯୁକ୍ତି ସମୟରେ ସେ କହିଥିଲେ ଯେ ଯେଉଁ କାମ ଅନ୍ୟ କେହି କରି ନପାରିବେ ସେ ସହଜରେ କରିପାରିବେ ।

ବିକ୍ରମାଦିତ୍ୟ ଜଳମଧ୍ୟରେ ପ୍ରବେଶ କରି ଲଙ୍ଗରକୁ ଛୁଇଁବା ମାତ୍ରେ ଜାହାଜ ଉଠି ସଙ୍ଗେ ସଙ୍ଗେ ଚାଲିବାକୁ ଆରମ୍ଭ କରିଲା । ସେ ଦ୍ୱୀପର ଉପକୂଳରେ ରହିଗଲେ । ମନେମନେ ଭାବିଲେ ଦ୍ୱୀପରେ ବୁଲିବେ । ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବେ । ବୁଲୁବୁଲୁ ଦ୍ୱୀପର ପ୍ରବେଶ ଦ୍ୱାରରେ ପହଁଚି ଦେଖିଲେ ଏକ ଘୋଷଶାପତ୍ର ଟଙ୍ଗାଯାଇଛି । ଯୋଉଥିରେ ଲେଖାଥିଲା “ଏଠାକାର ରାଜକୁମାରୀଙ୍କ ବିବାହ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ହେବ ।”

       ମହାରାଜ ଖୋଜି ଖୋଜି ଯାଇ ରାଜ ଅନ୍ତଃପୁରରେ ପହଁଚିଲେ । କେହି ତାଙ୍କୁ ବାଧା ଦେଲେ ନାହିଁ । ରାଜକୁମାରୀ ତାଙ୍କୁ ଦେଖିଲେ ଏବଂ ପରିଚୟ ପାଇବା ମାତ୍ରେ ଲାଜରେ ଝାଉଁଳି ପଡିଲେ । ବିକ୍ରମାଦିତ୍ୟଙ୍କ ସହିତ ରାଜକୁମାରୀଙ୍କର ବିବାହ ହେଲା । ସେଠାରେ କିଛିକାଳ ରହିବା ପରେ ମହାରାଜ ନିଜ ରାଜ୍ୟକୁ ଫେରିଲେ । ବାଟରେ ଜଣେ ସନ୍ନ୍ୟାସୀଙ୍କ ସହିତ ଦେଖାହେଲା । ସେ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ଗୋଟିଏ ଫୁଲମାଳ ଏବଂ ଗୋଟିଏ ବାଡି ଦେଲେ ଏବଂ କହିଲେ, “ହେ ମହାରାଜ! ଏମାନଙ୍କୁ ଯିଏ ପିନ୍ଧିବ ତା’ର ସମସ୍ତ କାମନା ପୂରଣ ହେବ । ସେ ସମସ୍ତଙ୍କୁ ଦେଖି ପାରିବ କିନ୍ତୁ ଅନ୍ୟମାନେ କେହି ତାକୁ ଦେଖି ପାରିବେ ନାହିଁ । ବାଡିଟିର ଚମତ୍କାରିତା ଏହି ଯେ ରାତିରେ ଶୋଇବା ପୂର୍ବରୁ ଯିଏ ଏହାକୁ ଛୁଇଁ ଯେଉଁ ମୂଲ୍ୟବାନ ଆଭୂଷଣ ମାଗିବ ତାହା ତୁରନ୍ତ ପାଇ ପାରିବ ।”

       ମହାରାଜ ଫୁଲମାଳ ଏବଂ ବାଡି ଧରି ନିଜ ରାଜ୍ୟରେ ପହଁଚିବାପରେ ନଗର ଉଦ୍ୟାନରେ ବିଶ୍ରାମ ନେଲେ । ସେଠାରେ ତାଙ୍କର ଦୁଇଜଣ ଲୋକଙ୍କ ସହିତ ସାକ୍ଷାତ ହେଲା । ଜଣେ ସାଧୁ ଏବଂ ଜଣେ ଭାଟ । ସେମାନେ ମହାରାଜାଙ୍କୁ ପ୍ରଣାମକରି ନିଜର ଦୁଃଖ ଜଣାଇଲେ । ମହାରାଜ! ଆମେ ଆପଣଙ୍କର ଅନୁଗତ ସେବକ । ଦୀର୍ଘକାଳ ଧରି ଆମେ ଏ ଉଦ୍ୟାନର ରକ୍ଷଣାବେକ୍ଷଣ କରି ଆସୁଛୁ । ଆମେ ଖୁବ୍ ଗରିବ । ଏ ଯାଏଁ କିଛି ବି ପାରିଶ୍ରମିକ ନେଇ ନାହୁଁ କାହାଠାରୁ । ଏଣୁ ଅନୁରୋଧ, କରୁଛୁ ଆପଣ ଆମକୁ ଦୟା କରନ୍ତୁ ଯାହା ଫଳରେ ଆମର ଅଭାବ ଅସୁବିଧା ଦୂର ହୋଇପାରିବ ଏବଂ ଆମେ ସୁଖରେ ରହିପାରିବୁ ।

       ମହାରାଜାଙ୍କ ହୃଦୟ ତରଳିଗଲା । ସେ ସନ୍ତୁଷ୍ଟ ହୋଇ ଭାଟକୁ ଫୁଲମାଳ ଏବଂ ସାଧୁକୁ ବାଡିଟି ଦାନକରି ଦେଲେ ଏବଂ ତା’ର ମହିମା ବୁଝାଇଦେଲେ । ସେମାନେ ଯଶଗାନ କରି ଚାଲି ଯିବାପରେ ମହାରାଜା ଭାବିଲେ ସେ ନିଜର ଭାଗ୍ୟବଳରୁ ସନ୍ନ୍ୟାସୀଙ୍କ ପାଖରୁ ଯେଉଁ ଦ୍ରବ୍ୟ ଲାଭ କରିଥିଲେ, ତାହାକୁ ସାଧୁ ଏବଂ ଭାଟ ନିଜର ପୁରୁଷାର୍ଥ ବଳରେ ହାସଲ କରିନେଲେ ।

       ସେତେବେଳକୁ ଛ’ମାସ ପୂରି ଯାଇଥିଲା । ଭାଗ୍ୟ ଏବଂ ପୁରୁଷାର୍ଥ ଆସି ଦରବାରରେ ହାଜର ହୋଇ ନ୍ୟାୟ ମାଗିଲେ । ମହାରାଜ ତୁରନ୍ତ କହିଲେ, “ଏ ସଂସାରରେ ପୁରୁଷାର୍ଥ ବିନା କିଛି ପାଇବା ସମ୍ଭବ ନୁହେଁ । ପୁଣି ଏହା ମଧ୍ୟ ସତ୍ୟ ଯେ ଯେତିକି ଭାଗ୍ୟରେ ଥାଏ, ସେତିକି ହିଁ ମିଳେ । ଅତଏବ ଭାଗ୍ୟ ଏବଂ ପୁରୁଷାର୍ଥ ପରସ୍ପରର ପରିପୂରକ ।” ମହାରାଜାଙ୍କ ବିଚାରରେ ସନ୍ତୁଷ୍ଟ ହୋଇ ଭାଗ୍ୟ ଓ ପୁରୁଷାର୍ଥ ଫେରିଗଲେ ।

       ଚନ୍ଦ୍ରକଳା କହିଲା, “ହେ ମହାରାଜ! ଆପଣ କ’ଣ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟଙ୍କ ପରି ଦାନଶୀଳ ନା ବୁଦ୍ଧିମାନ ନ୍ୟାୟ ବିଚାରକ? ଏଣୁ ସିଂହାସନ ଆଶା ତ୍ୟାଗ କରି ଫେରି ଯାଆନ୍ତୁ ।”

       ଭୋଜରାଜ ଆଉ କିଛି କହି ପାରିଲେ ନାହିଁ । ମନେମନେ କ’ଣ ଭାବି ରାଜପ୍ରାସାଦକୁ ଫେରିଗଲେ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!