*ତୁମେତ ବିଦେଶେ ରହିଲ*
*ଭିଟାମାଟି ଛାଡି ବିଦେଶରେ ତୁମେ*
*ବଡ଼ ବଡ଼ କୋଠା ଗଢିଲ*
*ନଈକୂଳିଆ ସେ ପବନକୁ ଭୁଲି*
*ଏସିରେ ସର୍ବଦା ରହିଲ*
*କରୋନା ଭୟରେ ବଞ୍ଚିବା ପାଇଁକି*
*ଗାଆଁକୁ କାହିଁକି ଆଇଲ ।।*
*ଭୁଲିଗଲ ତୁମେ ବାପାମାଆ କଥା*
*ଜାଗାବାଡ଼ି ସବୁ ବିକିଲ*
*ତୁମ ଖୁସି ପାଇଁ ସବୁତ କରିଲ*
*ସେମାନଙ୍କ କଥା ଭୁଲିଲ*
*ପିତାମାତା ପ୍ରତି ଦୟା ଦେଖେଇକି*
*କୁଡ଼ିଆ ଖଣ୍ଡିଏ ଛାଡିଲ*
*ହେଲେ ସେଇଠାରେ ରହିବା ପାଇଁକି*
*ଗାଆଁକୁ କାହିଁକି ଆଇଲ ।।*
*ଗାଆଁ ଲୋକଙ୍କୁତ ଖାତିରି କଲନି*
*ବଡ଼ବାବୁ ତୁମେ ହୋଇଲ*
*ସେମାନେ ପଦିଏ କଥା* *କହିଦେଲା*
*ମଳିମୁଣ୍ଡିଆ ଯେ କହିଲ*
*କେଉଁଠାରୁ ବଢି ମଣିଷ ହୋଇଛ*
*ସେକଥାକୁ ତୁମେ ଭୁଲିଲ*
*ହେଲେ ଆଜି ପ୍ରାଣ ବଞ୍ଚେଇବା ପାଇଁ*
*ଗାଆଁକୁ କାହିଁକି ଆଇଲ ।।*
*ଧୋତି ପଞ୍ଜାବୀକୁ ଭୁଲିଗଲ ତୁମେ*
*କଟା ଫଟା ଜିନ୍ସ ନାଇଲ*
*ଦଣ୍ଡବତ କଥା ଭୁଲିଯାଇ ତୁମେ*
*ହ୍ୟାଲୋ ହାଏ ବୋଲି କହିଲ*
*ଗାଆଁ ଲୋକ ସବୁ* *ପୁରୁଣାକାଳିଆ*
*ତୁମେତ ମଡ଼ର୍ଣ୍ଣ ହୋଇଲ*
*ହେଲେ ଆଜି ତୁମେ ବାଉଳା ହୋଇକି*
*ଗାଆଁକୁ କାହିଁକି ଧାଇଁଲ ।।*
*ବିନା ଆମିଷରେ ରୁଚେନା ତୁମକୁ*
*ମଟନ ଚିକେନ୍ ଖାଇଲ*
*କରୋନାଟା ଯେବେ ଲମ୍ଫ ଦେଲା ଆସି*
*ଶୁଦ୍ଧ ନିରାମିଷ ହୋଇଲ*
*ଗାଆଁ ପରିବେଶ ଭୁଲିଯାଇ ତୁମେ*
*ସହରକୁ ଭଲ ପାଇଲ*
*ସେହି ସହରକୁ ଶତ୍ରୁ ଭାବି ଏବେ*
*ଗାଆଁକୁ କାହିଁକି ଆଇଲ ।।*
**ଅକ୍ଷୟ ସାହୁ**