ତୁ
ମୋର ସାଙ୍ଗିଆ କାଇଁ ଦେଖୁ
ଜାତି କାଇଁ ଦେଖୁ
ତୁ ତୋର ରାଜନୀତିର ରୁଟି
ମୋ ସମ୍ପ୍ରଦାୟର ଚୁଲାରେ କାଇଁ ସେକୁ ?
ଲାଜ ନାହିଁ ତତେ, ତୁ
ମୋତେ ମୋରି ସହ ବାଣ୍ଟୁ !
କେବେ ତ କହିଲୁନି ତୁ ଯିଏ ମୁଁ ସିଏ
ରିକ୍ସା ଟାଣୁଥିବା ଆର୍ତ୍ତ ବୁଢା ଟା ବି ସିଏ
ଭାବିଲୁ କି
ଭାଷାରେ ଭାଙ୍ଗିବୁ
ଜାତିରେ ଭାଙ୍ଗିବୁ
ଧର୍ମରେ ଭାଙ୍ଗିବୁ
କ୍ଷେତ୍ରରେ ଭାଙ୍ଗିବୁ
ରଙ୍ଗରେ ଭାଙ୍ଗିବୁ ?!
ହାଃ ହାଃ ହାଃ
ଦେଖ୍ !
ମୋ ସାଙ୍ଗିଆରେ ମୋର ଜାତି ନାହିଁ
ମୋ ପୋଷାକରେ ମୋର ଧର୍ମ ନାହିଁ
ମୋ ଚମଡ଼ାରେ ମୋର ରଙ୍ଗ ନାହିଁ
ମୋ ଶବ୍ଦରେ ମୋର ଭାଷା ନାହଁ
ମୋ ସଡକରେ ମୋର କ୍ଷେତ୍ର ନାହିଁ
ନା ମୁଁ ନିକୃଷ୍ଟ
ନା ମୋଠାରୁ କିଏ ଉତ୍କୃଷ୍ଟ
ମୋ ମଣିଷ ପଣିଆର ବିସ୍ଫୋରଣରେ
ତୋର ଭେଦ ବୁଦ୍ଧି ନଷ୍ଟ ଭ୍ରଷ୍ଟ
ସମତାର ଛିଟାରେ ଖୋଲି ଯାଇଛି ତୋର ଛଦ୍ମବେଶ
ତୋର ଆଜି ଖେଳ ଶେଷ !