କାହାର ପତ୍ନୀ

 

ରାଜା ବିକ୍ରମ ବେତାଳ ପଛରେ ଗୋଡାଇ ଗୋଡାଇ ଯାଇ ପୁଣି ସେହି ବୃକ୍ଷ ନିକଟରେ ପହଁଚିଲେ । ପୁଣି ରାଜା ଶବଟିକୁ କାନ୍ଧରେ ପକାଇ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କହିଲା- “ତୁମେ ବହୁତ ଜିଦ୍ଖୋର୍ ଅଟ । ତୁମେ ପୁଣି ମୋତେ ନେବାକୁ ଆସିଗଲ । ତା’ହେଲେ ମୁଁ ତୁମକୁ ଆଉ ଏକ କାହାଣୀ ବର୍ତ୍ତମାନ ଶୁଣାଉଛି ।” ବେତାଳ ଯେମିତି କାହାଣୀ କହିବାକୁ ଆରମ୍ଭ କରିଛି ବିକ୍ରମ ଚୁପ୍ ରହିଲେ । ବେତାଳ କାହାଣୀ କହିବା ଆରମ୍ଭ କଲା ।

        ଯମୁନା ନଦୀ ତଟରେ ‘ଧର୍ମସ୍ଥଳ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ କେଶବ ନାମକ ଜଣେ ନାଗର ବାସ କରୁଥିଲେ । ନାଗର ଜଣକ ବିଦ୍ୱାନ, ପଣ୍ଡିତ ଏବଂ ତପସ୍ୱୀ ମଧ୍ୟ ଥିଲେ । ତାଙ୍କର ପରିବାର କହିଲେ, ତାଙ୍କର ପତ୍ନୀ, ପୁତ୍ର ଏବଂ କନ୍ୟାଙ୍କୁ ବୁଝାଏ । ନାଗରଙ୍କର ପୁତ୍ର ଏବଂ କନ୍ୟା ଉଭୟେ ବିବାହ ଯୋଗ୍ୟ ହୋଇଯାଇ ଥାଆନ୍ତି । ନାଗର କିପରି ପ୍ରଥମେ କନ୍ୟାର ବିବାହ କରିବେ ସେ କଥା ଚିନ୍ତା କରୁଥାଆନ୍ତି । କନ୍ୟାର ନାମ ହେଉଛି ‘ମଧୁମାଳତୀ’ । ସେ ଯେମିତି ରୂପବତୀ ସେମିତି ଗୁଣବତୀ । ନାଗର କେଶବ, ତାଙ୍କର ପତ୍ନୀ ଏବଂ ପୁତ୍ର ସମସ୍ତେ ମଧୁମାଳତୀ ପାଇଁ ଯୋଗ୍ୟ ପାତ୍ର ଖୋଜିବାକୁ ଲାଗିଲେ ।

        ଦିନେ ନାଗର କେଶବ ଜଣେ ବନ୍ଧୁର ଘରକୁ ଯାଇଥାଆନ୍ତି । ସେହି ବନ୍ଧୁଙ୍କ ଘରକୁ ଏକ ସୁନ୍ଦର, ଗୁଣବାନ ଯୁବକଟିଏ ମଧ୍ୟ ଆସିଥାଏ । କେଶବଙ୍କୁ ସେହି ଯୁବକ ଜଣକ କନ୍ୟା ପାଇଁ ଉପଯୁକ୍ତ ଲାଗିଲେ । କେଶବ ସେହି ଯୁବକର ସଂପର୍କରେ ବନ୍ଧୁଙ୍କୁ ପଚାରିଲେ । ତହିଁ ଆରଦିନ ନାଗର ତାର ପିତାଙ୍କ ନିକଟକୁ ଗଲେ । ଯୁବକର ପିତା ସହିତ କଥାବାର୍ତ୍ତା କରି ନିଜ ଝିଅର ବିବାହ ସେହି ଯୁବକ ସହିତ ଠିକ୍ କରିଦେଲେ । ଏଣେ ଏପଟେ କେଶବଙ୍କର ପତ୍ନୀ ମଧ୍ୟ ଏକ ଯୁବକ ସହିତ ଝିଅର ବିବାହ ଠିକ୍ କରିଦେଲେ ।

        ଠିକ୍ ସେହିଦିନ ମଧୁମାଳତୀର ଭାଇ ମଧ୍ୟ ଏକ ଯୁବକ ସହିତ ଭଉଣୀର ବିବାହ ଠିକ୍ କରିଦେଲେ । ତା’ର ଭିଣୋଇ ଯିଏ ହେବେ ସେ ତା’ର ଜଣେ ସାଙ୍ଗ । ଏହିପରି ତିନିଜଣ ଯାକ ଝିଅର ବିଭାଘର ଠିକ୍ କରିଦେଇଥିବାରୁ ଚିନ୍ତାରୁ ମୁକ୍ତ ହୋଇ ଯାଇଥାଆନ୍ତି । ତିନିଜଣ ଯାକ ସମସ୍ତେ ଏହି ଖୁସି ଖବର ସମସ୍ତଙ୍କୁ ଜଣାଇବା ପାଇଁ ବ୍ୟସ୍ତ ହେଉଥାଆନ୍ତି । କିନ୍ତୁ କେହି କାହା କଥା ଜାଣି ନଥାନ୍ତି । ପତ୍ନୀ ଘରେ ରହି ସ୍ୱାମୀ ଓ ପୁତ୍ରଙ୍କର ଅପେକ୍ଷାରେ ରହିଲେ । ପୁତ୍ର ମଧ୍ୟ ସିଧା ଘରକୁ ଆସି ପିତାଙ୍କ ଅପେକ୍ଷାରେ ରହିଲା । ସେ ମା’ ଓ ବାପାଙ୍କୁ ଏକ ସଂଗରେ ଏହି ଖୁସି ଖବର ଶୁଣାଇବା ପାଇଁ ଚାହୁଁଥିଲା । ସନ୍ଧ୍ୟା ହେବା ବେଳକୁ ନାଗର ଆସି ଘରେ ପହଁଚିଗଲେ ।

ରାତିରେ ଯେତେବେଳେ ସମସ୍ତେ ଏକତ୍ରିତ ହେଲେ ସମସ୍ତେ ଖୁସି ଜଣାପଡୁଥାନ୍ତି, ସେମିତି ସମସ୍ତେ ଏକ ସଂଗରେ ଚିନ୍ତାରୁ ମୁକ୍ତି ହୋଇଯାଇଛନ୍ତି ।

        ନାଗର ପ୍ରଥମେ କହିଲେ- “ଆଜି ମୁଁ ତୁମ୍ଭମାନଙ୍କୁ ଏକ ଖୁସି ଖବର ଶୁଣାଇବାକୁ ଯାଉଛି ।” ଏହାପରେ ପତ୍ନୀ ମଧ୍ୟ ଉତ୍ସାହିତ ହୋଇ କହି ଉଠିଲେ- “ମୁଁ ମଧ୍ୟ ଆଜି ତୁମକୁ ଏକ ସୁଖବର ଶୁଣାଇବି । ଏହାପରେ ପୁତ୍ର ବାହାରି ଆସି କହିଲା- “ମା, ବାପା ମୁଁ ମଧ୍ୟ ତୁମକୁ ଏକ ଖୁସି ଖବର ଜଣାଇବି । ଯେଉଁ କଥା ଶୁଣିଲେ ତୁମର ଚିନ୍ତା ଦୂର ହୋଇଯିବ ।” ଏହା କହି ପୁତ୍ର କହିଲା ମୋର ଏକ ସାଙ୍ଗ ସହିତ ମଧୁମାଳତୀର ବିବାହ ମୁଁ ଠିକ୍ କରିଦେଇଛି । ପୁତ୍ରର କଥାଶୁଣି ନାଗର ଚମକି ପଡି କହିଲେ- “ମୁଁ ମଧ୍ୟ ଏକ ସୁଯୋଗ୍ୟ ପାତ୍ର ସହିତ ମଧୁମାଳତୀର ବିବାହ ଆଜି ସ୍ଥିର କରିଦେଇଛି । ଏହାପରେ ନାଗରଙ୍କର ପତ୍ନୀ ମଧ୍ୟ ଅନୁରୂପ କଥା କହିଲେ । ତିନି ଜଣ ଯାକ ଗୋଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । କାହାକୁ ଠିକ୍ କରିବେ ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଗଲା । ଆଶ୍ଚର୍ଯ୍ୟର କଥା ଏଇଆ ଯେ ତିନିଜଣଯାକ ଗୋଟିଏ ଦିନରେ ହିଁ ବିବାହ ସ୍ଥିର କରିଥାଆନ୍ତି ।

        ଏମିତି ପରସ୍ଥିତି ହେଲା ଯେ- ବିବାହର ଦିନ ପାଖେଇ ଆସିଲା । ହେଲେ ଏମାନେ କୌଣସି ନିର୍ଣ୍ଣୟ ନେଇ ପାରିଲେ ନାହିଁ । ପରିବାରର ସମସ୍ତ ସଦସ୍ୟ ଏକ ଧର୍ମ ସଂକଟରେ ପଡିଯାଇଥାଆନ୍ତି । ନିର୍ଦ୍ଦିଷ୍ଟ ଦିନ ତିନିଜଣଯାକ ଯୁବକ ବରବେଶରେ ନିଜର ସଂପର୍କୀୟ ମାନଙ୍କ ସହିତ ଆସି ଉପସ୍ଥିତ ହୋଇଗଲେ । ତିନିଜଣ ଯାକ ମଧ୍ୟ ମଧୁମାଳତୀକୁ ବିବାହ କରିବାକୁ ଜିଦ୍ କଲେ । ମଧୁମାଳତୀର ସୌନ୍ଦର୍ଯ୍ୟ ସେମାନଙ୍କ ଜିଦ୍କୁ ବେଶୀ ବଢାଇ ଦେଲା । ଏପଟେ ମଧୁମାଳତୀ ମଧ୍ୟ ସେହି ତିନିଜଣ ଯୁବକଙ୍କ ପ୍ରତି ଆକର୍ଷିତ ଥିବା ପରି ଜଣାପଡୁଥିଲା । ତିନିଜଣ ଯାକ ବିଦ୍ୟା, ବୁଦ୍ଧି, ରୂପ, ଗୁଣରେ କେହି କାହାକୁ କମ୍ ନଥିଲେ । ମଧୁମାଳତୀ ମଧ୍ୟ କାହାକୁ ସ୍ୱାମୀ ରୂପେ ବାଛିବ ଏଥିନେଇ ଦ୍ୱନ୍ଦ୍ୱରେ ପଡୁଥାଏ ।

        ଠିକ୍ ଏହି ସମୟରେ କେଉଁଠାରୁ ଏକ କଳା ସାପ ବାହାରି ଆସି ମଧୁମାଳତୀକୁ କାମୁଡି ଦେଇ ପଳାଇଲା । କାଳ ସର୍ପ କାମୁଡିବା ଦ୍ୱାରା ବିବାହ ଲାଗି ଚାଲିଥିବା ବିବାଦ ହଠାତ୍ ବନ୍ଦ ହୋଇଗଲା । କିଛି ସମୟ ପରେ ମଧୁମାଳତୀର ପ୍ରାଣବାୟୁ ଉଡିଗଲା । ତିନିଜଣ ଯାକ ଯୁବକ ଏହା ଦେଖି ଏପରି କାନ୍ଦିଲେ ଯେ ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ହୋଇଗଲା । ଏହାପରେ ସମସ୍ତେ ମିଶି ମଧୁମାଳତୀର ଅନ୍ତିମ ସଂସ୍କାର କରିଦେଲେ ।

        ସେହି ତିନିଜଣଯାକ ଯୁବକଙ୍କ ମଧ୍ୟରୁ ଜଣକର ନାମ ଥିଲା ମାଧବ । ଦ୍ୱିତୀୟ ଜଣକର ନାମ ‘ବାମନ’ ଏବଂ ତୃତୀୟ ଜଣକର ନାମ ମଧୁସୂଦନ ଥିଲା । ମାଧବ ନାମଧାରୀ ଯୁବକ ଜଣକ ମଧୁମାଳତୀର ଚିତା ଜଳି ସାରିବାପରେ ତା’ର କେତେକ ହାଡକୁ ଏକାଠି କରି ଏକ ଗଣ୍ଠିଲି ମଧ୍ୟରେ ବାନ୍ଧି ରଖିଲେ । ଏହାକୁ ନେଇ ସେ ଜଙ୍ଗଲକୁ ଚାଲିଗଲେ ଓ ତପସ୍ୟା କରିବାକୁ ଲାଗିଲେ ।

        ବାମନ ନାମଧାରୀ ଯୁବକ ମଧୁମାଳତୀର ପୋଡିଯାଇଥିବା ପାଉଁଶକୁ ଏକ ଗଣ୍ଠିଲି ମଧ୍ୟରେ ଧରି ଗୋଟିଏ କୁଡିଆ ନିର୍ମାଣ କରି ରହିବାକୁ ଲାଗିଲା ।

        ମଧୁସୂଦନ ମଧ୍ୟ ସନ୍ନ୍ୟାସୀ ବେଶ ଧାରଣ କରି ଅରଣ୍ୟକୁ ଯିବାକୁ ବାହାରିଲେ ।

        ମଧୁସୂଦନ ଯିବା ବାଟରେ ଗୋଟିଏ ନଗରୀରେ ପହଁଚିଲେ । ନଗରୀରେ ପହଁଚିବା ପରେ ଗୋଟିଏ ତାନ୍ତ୍ରିକର ଘରେ ରହିବାକୁ ମନସ୍ଥ କଲେ । ତାନ୍ତ୍ରିକ ବିଳମ୍ବରେ ଘରକୁ ଫେରି ଭୋଜନ କରିବାକୁ ବସିବା ମାତ୍ରକେ କୌଣସି ଏକ କଥାକୁ ନେଇ ପତ୍ନୀ ସହିତ ଝଗଡା ଆରମ୍ଭ କରିଦେଲା । ସେ ଏତେ ଜୋର୍ରେ ରାଗିଯାଇଥିଲା ଯେ ନିଜ ପୁଅକୁ ଉଠାଇ ଜଳନ୍ତା ଚୂଲୀ ମୁହଁକୁ ଫୋପାଡି ଦେଲା । ପୁଅଟି ବିଚରା ଜଳି ଜଳି ମରିଗଲା । ଏହା ଦେଖି ତାର ପତ୍ନୀ କାନ୍ଦିବାକୁ ଲାଗିଲା ।

ତାନ୍ତ୍ରିକର ଏପରି କାର୍ଯ୍ୟକଳାପ ଦେଖି ମଧୁସୂଦନ ମନେ ମନେ ରାଗିଗଲେ । ସେ ସଂଗେ ସଂଗେ ନିଜ ଆସନରୁ ଉଠିଗଲେ ଏବଂ ରାଗିଯାଇ କହିଲେ- “ମୁଁ ତ’ ଆପଣଙ୍କୁ ଜଣେ ଧର୍ମାତ୍ମା ବୋଲି ଜ୍ଞାନ କରି ଏଠାରେ ରହିବାପାଇଁ ମନ ବଳାଇଥିଲି । କିନ୍ତୁ ତୁମେ ତ’ ଦୁଷ୍ଟ ସ୍ୱଭାବର ବ୍ୟକ୍ତି । ତୁମର ଏତେ ରାଗ ଯେ ନିଜ ରକ୍ତର ସନ୍ତାନକୁ ତୁମେ ନିଆଁରେ ଫୋପାଡି ପାରିଲ । ଏବେ ମୁଁ ଏଠାରେ ଆଉ ଗୋଟିଏ ମୂହୁର୍ତ ରହିବାକୁ ଚାହୁଁନାହିଁ ।”

        ଅତିଥିଙ୍କର ଏପରି କଥା ଶୁଣି ତାନ୍ତ୍ରିକର ରାଗ କୁଆଡେ ଉଭେଇ ଗଲା । ସେ କହିଲା- “ଅତିଥି ମହାରାଜ! ଆପଣ ଏମିତି ରାଗିକରି ମୋ ଘରୁ ଯାଆନ୍ତୁ ନାହିଁ । ମୋ ପାଖରେ ଏକ ସଂଜିବନୀ ମନ୍ତ୍ର ଅଛି, ଯାହା ଦ୍ୱାରାକି ମୁଁ ବର୍ତ୍ତମାନ ମୋର ପୁତ୍ରକୁ ବଂଚାଇ ଦେଇପାରିବି ।”

        ତାନ୍ତ୍ରିକର କଥା ଶୁଣି ମଧୁସୂଦନ ଚମକି ପଡିଲେ । ତାନ୍ତ୍ରିକଟି ସଂଗେ ସଂଗେ ଚମତ୍କାର ଦେଖାଇବାପାଇଁ ତା’ର କାର୍ଯ୍ୟ ଆରମ୍ଭ କରିଦେଲା । ଏହା କହି ତାନ୍ତ୍ରିକ ଘର ଭିତରକୁ ଗଲା ଓ ସଂଗରେ ଏକ ପୋଥୀ ନେଇ ଆସିଲା । ଏହାପରେ ତାନ୍ତ୍ରିକ ଶିଶୁର ପାଉଁଶ ଓ ହାଡକୁ ଏକାଠି କରି ମନ୍ତ୍ର ପଢିବାକୁ ଆରମ୍ଭ କଲେ ଓ ମନ୍ତ୍ର ଜଳ ଛିଂଚି ମୃତ ଶିଶୁଟିକୁ ଜୀବନଦାନ ଦେଲେ । ଏପରି ଅଦ୍ଭୂତ ଘଟଣା ଦେଖି ମଧୁସୂଦନ ଆଶ୍ଚର୍ଯ୍ୟ ହୋଇଗଲେ ।

        ପ୍ରକୃତରେ ଘଟଣାଟି ମଧ୍ୟ ଆଶ୍ଚର୍ଯ୍ୟ ରକମର ଥିଲା । ଏପରି କାର୍ଯ୍ୟ ଦେଖି ମଧୁସୂଦନର ମନକୁ ପାପ ଛୁଇଁଲା । ସେ ମନେ ମନେ କିପରି ଏହି ପୋଥିଟିକୁ ଚୋରାଇ ନେଇ ପ୍ରିୟତମା ମଧୁମାଳତୀକୁ ବଂଚାଇବ ସେ ସଂପର୍କରେ ଚିନ୍ତା କଲା । ସେହି ଦିନ ରାତିରେ ସୁବିଧା ସୁଯୋଗ ଦେଖି ପୋଥିଟିକୁ ଧରି ରାତି ପାହିବା ପୂର୍ବରୁ ତାନ୍ତ୍ରିକର ଘରୁ ଲୁଚି ପଳାଇ ଆସିଲେ । ମଧୁସୂଦନ ଯେଉଁଠାରେ ମାଧବ ମଧୁମାଳତୀର ହାଡକୁ ରଖି ତପସ୍ୟା କରୁଥିଲେ, ସେହି ସ୍ଥାନରେ ଆସି ପହଁଚିଲେ ।

        ମଧୁସୂଦନ ମାଧବଙ୍କ ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କଲେ ଓ କିପରି ମଧୁମାଳତୀଙ୍କୁ ବଂଚାଇବେ ଚିନ୍ତା କଲେ । ଏମାନେ ଦୁଇଜଣ ଏକମନ ହୋଇ ବାମନକୁ ମଧ୍ୟ ଖୋଜି ପାଇଲେ ଯାହାଙ୍କ ପାଖରେ ମଧୁମାଳତୀର ପାଉଁଶ ଥିଲା । ତିନିଜଣ ଯାକ କଥାବାର୍ତ୍ତା ହୋଇ ଶେଷରେ ମଧୁମାଳତୀକୁ ଜୀବନ ଦାନ ଦେବାକୁ ନିଷ୍ପତି ନେଲେ । ତିନିଜଣ ଯାକ ମିଶି ପ୍ରଥମେ ତାର ହାଡକୁ ପୋଡିଲେ । ଏହା ଉପରେ ପାଉଁଶ ଗୁଡିକୁ ରଖିଦେଲେ । ସବୁ ଶେଷରେ ମଧୁସୂଦନ ସଂଜିବନୀ ମନ୍ତ୍ର ପାଠ କଲେ । କିଛି ସମୟ ପରେ ମଧୁମାଳତୀ ଉଠିବସିଲେ । ତାର ସୌନ୍ଦର୍ଯ୍ୟ ଆହୁରି ଉଜ୍ଜ୍ୱଳ ଦେଖାଯାଉଥାଏ ।

        ମଧୁମାଳତୀକୁ ଦେଖିବାପରେ ତିନିଜଣଙ୍କର ଆଖି ତାରି ଉପରେ ରହିଗଲା । ପରିସ୍ଥିତି ଏପରି ହେଲା ଯେ ତିନି ଜଣ ଯାକ ତାକୁ ନିଜର ପତ୍ନୀ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକଟ କଲେ । ମଧୁସୂଦନ କହିଲା, ମୁଁ ସଂଜୀବନୀ ପୋଥୀ ଆଣିବାରୁ ମଧୁମାଳତୀ ବଂଚିଲା । ତେଣୁ ତା’ପ୍ରତି ମୋର ପ୍ରଥମ ଅଧିକାର ଅଛି । ବାମନ କହିଲା, ମୁଁ ତା’ର ପାଉଁଶକୁ ରଖିବାରୁ ସେ ଜୀବିତ ହେଲା । ତେଣୁ ତା’ପ୍ରତି ମୋର ଅଧିକାର ଅଛି । ସେହିପରି ମାଧବ ଅସ୍ଥି ରଖିଥିବା କଥା କହି ମାଳତୀକୁ ପତ୍ନୀ ରୂପେ ଗ୍ରହଣ କରିବାର ସମସ୍ତ ଅଧିକାର ଯେ ତା’ର ତାହା ସେ ପ୍ରତିପାଦନ କଲା ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!