ଅଶୋକ ସମ୍ରାଟ

(ବୃଦ୍ଧ ବିନ୍ଦୁସାର ଅସୁସ୍ଥ ହୋଇ ପଡିଥିଲେ । ଗ୍ରୀକ୍ଙ୍କ ଦ୍ୱାରା ପ୍ରରୋଚିତ ହୋଇ ତକ୍ଷଶିଳା ପ୍ରାନ୍ତରେ ବିଦ୍ରୋହ ସୃଷ୍ଟି ହୋଇଥିବାର ସମାଚାର ସେ ଜାଣିବାକୁ ପାଇଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ନିଜର ଛଅ ପୁତ୍ରଙ୍କୁ ପାଖକୁ ଡକାଇ ଜାଣିବାକୁ ଚାହିଁଲେ ତକ୍ଷଶିଳାରେ ବିଦ୍ରୋହ-ଦମନର ନେତୃତ୍ୱ କିଏ ନେଇ ପାରିବ? ପିତାଙ୍କ ଆଦେଶ ପାଳନ କରିବା ପାଇଁ ଅଶୋକ ଆଗଭର ହେଲେ । ଏହାପରେ ପଢନ୍ତୁ ।)

                ସେହିଦିନ ସାୟଂକାଳରେ ଅଶୋକ ସେନାଧିପତିଙ୍କୁ ସାକ୍ଷାତ କରିବା ପାଇଁ ଗଲେ । ତକ୍ଷଶିଳାରେ ମଗଧ ସାମ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିବା ସମାଚାର ସେତେବେଳକୁ ତ ସେନାଧିପତି ଜାଣି ସାରିଥିଲେ । ତେଣୁ ସେନାପତି ସୈନ୍ୟ-ଶିବିରର ସଂଗଠନ କାମରେ ଲାଗିପଡିଥିଲେ । ଅଶୋକଙ୍କୁ ସେଠାରେ ଉପସ୍ଥିତ ହେବାର ଦେଖି ପ୍ରଣାମ କରି ସେ କହିଲେ, “ହେ ଯୁବରାଜ, ମୁଁ ମଧ୍ୟ ଆପଣଙ୍କ ସହିତ ତକ୍ଷଶିଳା ଯାତ୍ରା କରିବି ।”

ଏକଥା ଶୁଣି ଅଶୋକ କହିଲେ “ଆପଣଙ୍କର ଏହି ବାଣୀ ମତେ ଖୁବ୍ ଆନନ୍ଦ ଦେଇଛି । କିନ୍ତୁ ମୋ ବିଚାରରେ ଆପଣ ଏଠାରେ ରହିବା ସମୁଚିତ ହେବ । କାରଣ ପିତାଶ୍ରୀ ଅସୁସ୍ଥ । ତେଣୁ ଆପଣ ଏଠାରେ ରହି ମୋ ସହିତ କେବଳ ଦୁଇଜଣ ବିଶ୍ୱସନୀୟ ସେନାପତିଙ୍କୁ ପଠାଇବାର ବ୍ୟବସ୍ଥା କରନ୍ତୁ ।” ସେନାପତି ପ୍ରକୋଶ କଲେ “ଆପଣଙ୍କ ପରାମର୍ଶ ମଧ୍ୟ ସଠିକ୍ । ଏପରି ପରସ୍ଥିତିରେ ମହାରାଜଙ୍କ ସହିତ ମୋର ରହିବା ଏକାନ୍ତ ଆବଶ୍ୟକ । ମୁଁ ଆପଣଙ୍କ ନିର୍ଣ୍ଣୟକୁ ସ୍ୱାଗତ ଜଣାଉଛି । ତେଣୁ ସୈନ୍ୟବାହିନୀର ସର୍ବୋତ୍ତମ ସୈନିକ ଓ ସୁସମର୍ଥ ସେନାପତିଙ୍କୁ ମୁଁ ଆପଣଙ୍କ ସହିତ ପଠାଇବାର ବନ୍ଦବୋସ୍ତ ଏବେ ଆରମ୍ଭ କରୁଛି ।”

ତକ୍ଷଶିଳାକୁ ସୈନ୍ୟ ପ୍ରେରଣ କାର୍ଯ୍ୟ ତତ୍କ୍ଷଣାତ୍ କାର୍ଯ୍ୟକାରୀ ହେଲା । ସୈନିକ ଗଣ ଅସ୍ତ୍ର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଡ କରିବାରେ ପ୍ରାଣମୁର୍ଚ୍ଛା ଲାଗିପଡିଲେ । ଯୁଦ୍ଧର ପ୍ରସ୍ତୁତି ପୁରାଦମ୍ରେ ଚାଲିଲା ।ଏସବୁ ଦେଖି ଜ୍ୟେଷ୍ଠ ରାଜକୁମାର ସୁଶେମଙ୍କ ମନରେ ଭୟଙ୍କର ଈର୍ଷା ଜାତ ହେଉଥାଏ । ସେ ଗୁପ୍ତ ଭାବରେ ସେନାଧିପତିଙ୍କୁ ସାକ୍ଷାତ କରି କହିଲେ, “ଏ ସବୁର କଣ ବା ଆବଶ୍ୟକତା ରହିଛି? ସାମ୍ରାଜ୍ୟର ଗୋଟିଏ କୋଣରେ ଏକ କ୍ଷୁଦ୍ର ଆନ୍ଦୋଳନ ସୃଷ୍ଟି ହୋଇଛି । ତାକୁ ଦମନ ପାଇଁ ଏକ ମହାଯୁଦ୍ଧ ସ୍ତରର ଆୟୋଜନ ଆପଣ କାହିଁକି କରୁଛନ୍ତି?”

ତାଙ୍କର ଏପରି ପ୍ରଶ୍ନରେ ଚକିତ ହୋଇ ସେନାଧିପତି କହିଲେ, “ଯୁବରାଜ, ଶତ୍ରୁବଳକୁ କୌଣସି ଦୃଷ୍ଟିରୁ ସାଧାରଣ ଭାବିବା ଆଦୌ ବାଂଛନୀୟ ନୁହେଁ । ସର୍ପ ଆକୃତିରେ କ୍ଷୁଦ୍ର ହେଲେ ମଧ୍ୟ ତାକୁ ପ୍ରହାର କରିବା ପାଇଁ ବୃହତ୍ ଲାଠିର ଆବଶ୍ୟକତା ରହିଛି । ଏହି ବିଦ୍ରୋହର ଅନ୍ତରାଳରେ ରହିଛି ଗ୍ରୀକ୍ ବଳ । ଏହା ବ୍ୟତୀତ ଯୁବରାଜ ଅଶୋକ ଜୀବନରେ ପ୍ରଥମଥର ପାଇଁ ସୈନ୍ୟବାହିନୀର ନେତୃତ୍ୱ ପାଇଁ ଅଗ୍ରସର ହୋଇଛନ୍ତି । ତାଙ୍କର ବିଜୟଶ୍ରୀ ପ୍ରାପ୍ତ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ମୋର ପରମ ଦାୟିତ୍ୱ ଅଟେ । ଏହା ସହିତ ରାଜପରିବାରର ଗର୍ବ ଓ ଗୌରବ ସମ୍ବନ୍ଧିତ ଅଟେ ।”

ସବୁ ଶୁଣି ସୁଶେମ ତୀବ୍ର ସ୍ୱରରେ ବ୍ୟଙ୍ଗୋକ୍ତି କଲେ “କାହାର ଗୌରବ ସମ୍ବନ୍ଧରେ ତୁମେ କହୁଛ? ମଗଧ-ସାମ୍ରାଜ୍ୟର ଭାବୀ ନରପତି ଅଶୋକଙ୍କ ଗୌରବ ସମ୍ବନ୍ଧରେ ।”

ତା’ପରେ ସେନାଧିପତି କହିଲେ “ମୁଁ ଯାହା ଶୁଣିବାକୁ ପାଉଛି, ଅଶୋକ ନୁହଁନ୍ତି, ବରଂ ଆପଣ ଏହି ରାଜ୍ୟର ମହାରାଜ ହେବାକୁ ଯାଉଛନ୍ତି । ତେବେ ଆପଣ ସୈନ୍ୟବଳ ସହିତ ତକ୍ଷଶିଳା ଯାତ୍ରା କରିଥିଲେ ତ ଖୁବ୍ ଶୋଭା ଦିଶିଥାନ୍ତା । ନିଜର ଭାବୀ ମହାରାଜଙ୍କ ବିଜୟରେ ମଗଧର ପ୍ରଜାକୁଳ ଅପାର ଆନନ୍ଦ ଲାଭ କରିଥାନ୍ତେ । ଏହି ବିଜୟ ଆପଣଙ୍କୁ ପ୍ରଜାମାନଙ୍କ ହୃଦୟରେ ଏକ ଶ୍ରଦ୍ଧାର ଆସନ ପ୍ରଦାନ କରିଥାନ୍ତା । ଆପଣ ଏପରି ଏକ ସୁଅବସର ହରେଇ ବସିଲେ ।

ସୁଶେମ ନିମ୍ନ ସ୍ୱରରେ କହିଲେ “ସେନାପତି, ତୁମେ ମୋ ସହିତ ତକ୍ଷଶିଳା ଯାତ୍ରା କଲେ, ମୁଁ ଅବଶ୍ୟ ବିଜୟ ଲାଭ କରିବି ।”

ତହୁଁ ସେନାଧିପତି କହିଲେ, “ଯୁବରାଜ, ଆପଣ କଣ କହିବାକୁ ଚାହୁଁଛନ୍ତି ସ୍ପଷ୍ଟଭାବେ ପ୍ରକାଶ କରନ୍ତୁ ।”

ତା’ପରେ ସୁଶେମ ପ୍ରକାଶ କଲେ “ସେନାଧିପତି, ତୁମେ ଖୁବ୍ ଭଲଭାବେ ଜାଣିଛ ଯେ, ପିତାଶ୍ରୀଙ୍କ ମୃତ୍ୟୁ ଅନ୍ତେ ମୁଁ ଏହି ରାଜସିଂହାସନରେ ଅଭିଷିକ୍ତ ହେବି । ପିତାଙ୍କର ମଧ୍ୟ ଅନୁରୂପ ଇଚ୍ଛା ରହିଛି । ମୋ ପ୍ରତି ସାଧାରଣ ପ୍ରଜାଙ୍କର ଆଦର ଓ ଶ୍ରଦ୍ଧାମୂଳକ ଭାବନା ସୃଷ୍ଟି ହେବା, ମୁଁ ସେମାନଙ୍କର ପ୍ରିୟପାତ୍ର ହେବା, ଏହା କେବଳ ତୁମର ସହଯୋଗରେ ହିଁ ସମ୍ଭବ ଅଟେ ।”

“ଏବେ ମଧ୍ୟ ମୁଁ ଆପଣଙ୍କ କଥା ବୁଝିପାରୁ ନାହିଁ । ମୁଁ ଆପଣଙ୍କୁ ଏକ ପ୍ରଶ୍ନ କରିପାରେ କି? ସୁଶେମଙ୍କ ଅନୁମତି ପାଇବା ପରେ ସେନାଧିପତି ପ୍ରଶ୍ନ କଲେ ମୋତେ କହିବେ କି, କେଉଁ କାରଣରୁ ଏହି ସେନାର ନେତୃତ୍ୱ ଦାୟିତ୍ୱ ନେବା ପାଇଁ ଆପଣ ପଛଘୁଂଚା ଦେଲେ? ବିତିଯାଇଥିବା ଘଟଣାକୁ ଦୋହରେଇବା ଅନୁଚିତ୍ । ଯାହା ହେବାର ଥିଲା, ତାହା ତ ହୋଇଯାଇଛି । ଏବେ ବି କିଛି କ୍ଷତି ହୋଇନାହିଁ । ମୁଁ ସୈନ୍ୟବାହିନୀର ନେତୃତ୍ୱ ନେବା ପାଇଁ ଇଚ୍ଛା କରୁଛି । କେବଳ ତୁମର ସହାୟତା ଲୋଡା । ମୋ କଥା ପାଳନ କଲେ ଓ ମୋ ଆଜ୍ଞାନୁସାରେ କାମ କଲେ, ମୁଁ ରାଜା ହେବା ପରେ ତୁମ୍ଭର ସକଳ ଇଚ୍ଛା ପୂର୍ଣ୍ଣ କରିବି । ଏଥିପାଇଁ ତୁମକୁ ଗୋଟିଏ କାମ କରିବାକୁ ପଡିବ । ଏହି ସୈନିକ ଚର୍ଯ୍ୟାରେ ଅଶୋକ ଯେମିତି ପରାଜିତ ହେବେ । ତା ପରେ  ମୋର ନେତୃତ୍ୱରେ ସେନା ତକ୍ଷଶିଳା ଯାତ୍ରା କରିବେ, ଏବଂ ଆମର ମିଳିତ ସହଯୋଗରେ ଲକ୍ଷ୍ୟ ହାସଲ କରିବା । ମୁଁ ବିଜୟୀ ହୋଇ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ, ସେହି ଦାସୀପୁତ୍ର ଅଶୋକର ଗର୍ବ ଚୂର୍ଣ୍ଣ ହେବ । ତେଣୁ ତୁମକୁ ଅଶୋକଙ୍କ ସହିତ ବଳହୀନ ସୈନ୍ୟବାହିନୀ ପ୍ରେରଣ କରିବାକୁ ହେବ । ଦୁଇଜଣ ଅକର୍ମଣ୍ୟ ଅସମର୍ଥ ସେନାପତିଙ୍କୁ ତା ସହିତ ପଠେଇଦେବ । ଆମର ଯୋଜନା ସଫଳ ହେବା ପାଇଁ ଏତିକି ମାତ୍ର ଲୋଡା । ଏହି ରହସ୍ୟ ଆମ କେବଳ ଆମ ଦୁଇଜଣଙ୍କ ମଧ୍ୟରେ ହିଁ ଗୋପନ ରହିବ । ମୁଁ ତୁମ ଉପରେ ସଂପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରୁଛି ।” ସୁଶେମ ଏହିପରି ଭାବେ ଷଡଯନ୍ତ୍ରର ମାର୍ଗ ବତେଇଲେ ।

ତାଙ୍କର ଏପରି କଥା ଶୁଣି ସେନାଧିପତି ଆତଙ୍କିତ ହୋଇ ପଡିଲେ । ତାଙ୍କ ମୁହଁରୁ କଥା ସ୍ଫୁରିଲା ନାହିଁ । ସୁଶେମ ତାଙ୍କର ମାନସିକ ସ୍ଥିତିକୁ ବୁଝିପାରି କହିଲେ, “ତୁମେ ଏହି କାମ କଲେ, ମୁଁ ତୁମକୁ ଯଥାଯୋଗ୍ୟ ପୁରସ୍କାର ଦେବି ।”

ଏହା ଶୁଣି ସନ୍ଦିଗ୍ଧ ସ୍ୱରରେ ସେନାଧିପତି କହିଲେ “ଯୁବରାଜ, ସମ୍ଭବତଃ ଆପଣ ମୋର ରାଜଭକ୍ତି ଓ ସାଧୁତାପଣର ପରୀକ୍ଷା ନେଉଛନ୍ତି ।”

ତା’ପରେ ସୁଶେମ ଦୃଢ ସ୍ୱରରେ କହିଲେ, “ନା, ନା, ତୁମର ଧାରଣା ଭୁଲ୍ । ଅଶୋକର ଗର୍ବ ଧୂଳିସାତ କରିବା ପାଇଁ, ଏହା ମୋର ଲକ୍ଷ୍ୟ ଏବଂ ଆଶ୍ରୟ ମଧ୍ୟ । ମୁଁ ଯାହା ସବୁ କହିଲି, ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଏଥିରେ ଅଣୁମାତ୍ର ବି ସନ୍ଦେହ ନାହିଁ ।” ଏବେ ସେନାଧିପତି ନିଜ ମନ୍ତବ୍ୟ ଦେବାକୁ ଯାଇ କହିଲେ, “ଆପଣ ସିନା ନିଜ ମନକଥା ଖୋଲି କହିଦେଲେ । ଏବେ ମୋ ମନକଥା ଶୁଣିବା ହୁଅନ୍ତୁ । ଆପଣଙ୍କର ଏପରି କୁତ୍ସିତ ଇଚ୍ଛା ମୋର ମନ, ମସ୍ତିଷ୍କକୁ ଧିକ୍କାର କରୁଛି । ପୃଷ୍ଠଦେଶରୁ ଛୁରୀକାଘାତ କରିବା ଓ ଦେଶ ଦ୍ରୋହ କରିବାଠାରୁ ବଡ ଅପରାଧ ଆଉ କିଛି ବି ନାହିଁ । କୌଣସି ପରିସ୍ଥିତିରେ ମଧ୍ୟ ମୁଁ ଏହା କରିବି ନାହିଁ ।”

ଏକଥା ଶୁଣି ସୁଶେମଙ୍କର ଚେହେରା ହଠାତ୍ ମଳିନ ପଡିଗଲା । ତେଣୁ ସେ ଧମକ ଦେଇ କହିଲେ, “ତେବେ ତୁମେ ମୋର ଆଜ୍ଞା ପାଳନ କରିବ ନାହିଁ?”

ସବୁ ଶୁଣି ଆକ୍ରୋଶ ଓ ଗମ୍ଭୀରତାର ସହ ସେନାଧିପତି କହିଲେ, “କେବେ ନୁହେଁ । ଯଦି ରାଜପରିବାରରେ ଏପରି ଷଡଯନ୍ତ୍ର ରଚନା ଜାରୀ ରୁହେ, ତେବେ ରାଜସିଂହାସନ କେତେଦିନଯାଏଁ ସୁସ୍ଥିର ରହିପାରୁଛି, ତାହା ହିଁ ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯୁବରାଜ, କୃପାପୂର୍ବକ ଆପଣ ମୋର ପରାମର୍ଶ…” ଅଧିକ କିଛି କହିବା ପାଇଁ ସେନାଧିପତି ଯାଉଥିଲେ । “ତୁମର ପରାମର୍ଶ ମୋର ଲୋଡା ନାହିଁ । ତାହା ତୁମ ପାଖରେ ରଖିଥାଅ ।” ଏପରି କହି ଝଡବେଗରେ ସେଠାରୁ ସୁଶେମ ବାହାରିଗଲେ ।

ସୁଶେମଙ୍କର କୁତ୍ସିତ ଚିନ୍ତାଧାରା ଓ ଦୁଷ୍ଟବୁଦ୍ଧି ସେନାଧିପତିଙ୍କ ମନରେ ଗଭୀର ଦୁଃଖ ଆଣି ଦେଲା । କିନ୍ତୁ ସେ ନିଜକୁ ସମ୍ଭାଳି ନେଇ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ସୈନ୍ୟବାହିନୀର ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ଲାଗି ପଡିଲେ ।ତତ୍ ପରଦିନ ପ୍ରଭାତ ସମୟରେ ଅଶୋକ ସୈନ୍ୟବଳ ସହିତ ତକ୍ଷଶିଳା ଦିଗରେ ଅଗ୍ରସର ହେଲେ । ସେନାଧିପତି ଅଶୋକଙ୍କ ସହିତ କିଛି ଦୂର ଆସିବା ପରେ ତାଙ୍କୁ କହିଲେ, “ଯୁବରାଜ, ଆପଣଙ୍କ ଉଦ୍ୟମ ଶୁଭପ୍ରଦ ହେଉ । ମୋର ଦୃଢ ବିଶ୍ୱାସ, ଆପଣଙ୍କର ଏହି ଅଭିଯାନ ଅବଶ୍ୟ ସଫଳ ହେବ । ଅତି ସହଜରେ ଆପଣ ଲକ୍ଷ୍ୟ ହାସଲ କରିପାରିବେ । କିନ୍ତୁ ଗୋଟିଏ ମୁଖ୍ୟ କଥା ମନେ ରଖନ୍ତୁ । ବାରଜଣ ଦୁର୍ଦ୍ଧର୍ଷ ଯୋଦ୍ଧା ଆପଣଙ୍କର ଅଙ୍ଗରକ୍ଷକ ରହିବେ । ତେବେ ବି ଆପଣ ଆତ୍ମରକ୍ଷା ସମ୍ବନ୍ଧରେ ସର୍ବଦା ସତର୍କ ରହିଥିବେ ।” ଏପରି ଅନେକ କଥା କହି ସେ ଅଶୋକଙ୍କୁ ବିଦାୟ ଦେଲେ ।

ସେହିଦିନ ସନ୍ଧ୍ୟା ସମୟ ଉପଗତ ହେବା ପରେ, ସ୍ୱଳ୍ପ ଅନ୍ଧାର ଘନେଇ ଆସିବାବେଳକୁ ଅଶୋକ ସୈନ୍ୟବାହିନୀ ସହିତ ତକ୍ଷଶିଳା ସୀମା ନିକଟରେ ପହଁଚିସାରିଥିଲେ । ଏକ ପାହାଡ ତଳେ ସେ ସୈନିକ ଶିବିରର ବନ୍ଦବୋସ୍ତ କଲେ । ତା ପରଦିନ ଦୂତ ମାଧ୍ୟମରେ ବିଦ୍ରୋହୀମାନଙ୍କ ନିକଟକୁ ସେ ଏକ ସମ୍ବାଦ ପ୍ରେରଣ କଲେ । ବିଦ୍ରୋହୀମାନେ ସେତେବେଳକୁ ମଗଧ ରାଜପ୍ରତିନିଧିଙ୍କୁ ନଗରରୁ ବିତାଡିତ ଓ କିଛି ପ୍ରତିନିଧିଙ୍କୁ ମଧ୍ୟ ହତ୍ୟା କରିସାରିଥାନ୍ତି । ଏବେ ତକ୍ଷଶିଳା ସଂପୂର୍ଣ୍ଣରୂପେ ବିଦ୍ରୋହୀମାନଙ୍କର ଅଧୀନସ୍ଥ ହୋଇଥାଏ ।

ଅଶୋକଙ୍କ ଦୂତ ବିଦ୍ରୋହୀଙ୍କୁ ସାକ୍ଷାତ କରି କହିଲେ, “ଏବେ ମହାରାଜ ଅସୁସ୍ଥ । ସମସ୍ୟା ଯେତେ ଗମ୍ଭୀର ବା ବିବାଦାସ୍ପଦ ହେଉନା କାହିଁକି, ତାହାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଏକାନ୍ତ ଆବଶ୍ୟକ । ଆପଣମାନଙ୍କର ଦାବୀ ପ୍ରଥମେ ଉପସ୍ଥାପିତ କରନ୍ତୁ । ମହାରାଜ ଏହା ଉପରେ ଚିନ୍ତା, ବିଚାର କରି ନିଷ୍ପତି ଗ୍ରହଣ କରିବେ ।” ବିଦ୍ରୋହୀମାନେ ସେମାନଙ୍କର ଦାବୀ ବ୍ୟକ୍ତ କରିବା ପାଇଁ ସମୟ ଚାହିଁଲେ । ଦୂତ ଏହା ସ୍ୱୀକାର କରି ସେଠାରୁ ଫେରି ଆସିଲେ ।

ଯେଉଁ ସମୟରେ ବିଦ୍ରୋହୀଙ୍କୁ ଭେଟିବା ପାଇଁ ଦୂତ ଯାଇଥିଲେ, ସେହି ସମୟରେ ଅଶୋକଙ୍କ ଆଦେଶ ଅନୁସାରେ ସୈନିକଗଣ ଯାତ୍ରୀ ବ୍ୟବସାୟୀ, ଭିକାରୀ ବେଶରେ ଗୋପନରେ ନଗରରେ ପ୍ରବେଶ କରି ସାରିଥିଲେ । ସେମାନେ ବିଦ୍ରୋହୀଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଥାନ୍ତି ।

ପ୍ରତ୍ୟେକ ଦିନ ରାତ୍ରିର ଘୋର ଅନ୍ଧକାର ସମୟରେ ବିଦ୍ରୋହୀମାନେ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ଗ୍ରୀକ୍ ମାନଙ୍କ ସହିତ ଏକ ଭବନରେ ଏକାଠି ହୁଅନ୍ତି । ସେଠାରେ ଭବିଷ୍ୟ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବା ସେମାନଙ୍କର ପଦ୍ଧତି ଥିଲା । ସେହିଦିନ ଯଥାବତ୍ ଦୁଇପକ୍ଷ ସେହି ଭବନରେ ଏକାଠି ହେବାକୁ ଯାଉଥିବା ଖବର ଅଶୋକ ଜାଣିପାରିଲେ । ତାଙ୍କର ପରାମର୍ଶ ଅନୁସାରେ ଛଦ୍ମବେଶଧାରୀ ସୈନିକମାନେ ସେହି ଭବନକୁ ଫେରିଗଲେ । ଏହାପରେ ନଗର ବାହାରେ ଥିବା ଅବଶିଷ୍ଟ ମଗଧ ସୈନ୍ୟ ଝଡବେଗରେ ନଗର ଭିତରକୁ ପ୍ରବେଶ କଲେ ।

ବିଦ୍ରୋହୀ ଓ ଗ୍ରୀକ୍ମାନେ ଭବନରୁ ବାହାରି ଆସିବା ପାଇଁ ସବୁପ୍ରକାର କୌଶଳ କରି ମଧ୍ୟ ବିଫଳ ହେଲେ । ଅଳ୍ପ ସମୟ ମଧ୍ୟରେ ସାମାନ୍ୟ ଲଢେଇ ପରେ ସେମାନେ ଅଶୋକଙ୍କ ସେନାଙ୍କ ବଶ୍ୟତା ସ୍ୱୀକାର କଲେ । ବିଦ୍ରୋହୀମାନଙ୍କର ନେତା ଓ ସେମାନଙ୍କର ଅନେକ ସହଯୋଗୀଙ୍କୁ ବନ୍ଦୀ କରି, ସେମାନଙ୍କର ହାତ ପିଠି ପଟେ ବାନ୍ଧି ନଗର ମଧ୍ୟ ଭାଗକୁ ଅଣାଗଲା । ସେଠାରେ ଏକ ପ୍ରଶସ୍ତ ମଣ୍ଡପ ଥାଏ । ତକ୍ଷଶିଳାବାସୀଙ୍କୁ ଡିଣ୍ଡିମ ବଜାଇ ଜଣାଇଦିଆଗଲା ଯେ, ସମସ୍ତେ ସେଠାରେ ଏକତ୍ରିତ ହୁଅନ୍ତୁ । ତକ୍ଷଶିଳାର ପ୍ରଜାଗଣ ଉତ୍କଣ୍ଠିତ ହୋଇ ସେଠାରେ କଣ ଘଟୁଛି ତାହା ଜାଣିବା ପାଇଁ ବହୁ ସଂଖ୍ୟାରେ ରୁଣ୍ଡ ହେଲେ ।ଅଳ୍ପକ୍ଷଣ ପରେ ଅଶ୍ୱାରୋହଣ କରି ଅଶୋକ ସେଠାରେ ଆସି ପହଁଚିଲେ । ତା’ପରେ ମଥାନତ କରି ଦଣ୍ଡାୟମାନ ହୋଇଥିବା ବିଦ୍ରୋହୀମାନଙ୍କୁ ସମ୍ବୋଧନ କରି ସେ କହିଲେ, “ଯଦି ତୁମମାନଙ୍କର କୌଣସି କ୍ଳେଶ ବା ଅନିଷ୍ଟ ଘଟିଥିଲା, ତେବେ ତାହା ରାଜକର୍ମଚାରୀଙ୍କୁ ଜଣେଇବା ଉଚିତ୍ ହୋଇଥାନ୍ତା । କିନ୍ତୁ ତାହା ନ କରି ବିଦ୍ରୋହ କରିବା ଓ ମଗଧର ରାଜପ୍ରତିନିଧିଙ୍କୁ ହତ୍ୟାକରି ସମ୍ପତ୍ତି ଲୁଣ୍ଠନ କରିବା ପରି ଦୁର୍ବୁଦ୍ଧି ତୁମମାନଙ୍କ ମନକୁ ଆସିଲା କିପରି?”

କିଛି ସମୟ ମୌନ ରହିବା ପରେ ଜଣେ ବନ୍ଦୀ କହିଲା, “ଆମେ ଏହିସ୍ଥାନର ରାଜପ୍ରତିନିଧିଙ୍କୁ ନିଜର ଦୁର୍ଦ୍ଦଶାର ବିବରଣୀ ଦେଲୁ । କିନ୍ତୁ ସେ ଏହା ପ୍ରତି ଆଦୌ ଗୁରୁତ୍ୱ ଦେଲେ ନାହିଁ କି କୌଣସି ପ୍ରତିକାର ବି କଲେ ନାହିଁ ।” ସବୁଶୁଣି ଅଶୋକ ପୁଣି ପ୍ରଶ୍ନ କଲେ, “ରାଜପ୍ରତିନିଧି ତୁମମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଲେ, ତୁମେ ରାଜଧାନୀ ଆସି ସ୍ୱୟଂ ରାଜାଙ୍କୁ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଥାଆନ୍ତ । କିନ୍ତୁ ଏପରି କଲ ନାହିଁ କାହିଁକି?”

ଏକଥା ଶୁଣି ବନ୍ଦୀମାନେ ନିରୁତ୍ତର ରହିଲେ । “ଠିକ୍ ଅଛି, ତୁମମାନଙ୍କର କଷ୍ଟ ସମ୍ବନ୍ଧରେ ମହାରାଜାଙ୍କୁ କିଛି ଜଣାଇ ପାରିଲ ନାହିଁ । ଏହା ଏବେ ଭୁଲିଯାଅ । ଏବେ ପ୍ରକାଶ କର ଯେ, ଏ ସମ୍ବନ୍ଧରେ ତୁମେ ବିଦେଶୀମାନଙ୍କ ସହିତ କାହିଁକି ହାତ ମିଳେଇଲ? ସେମାନଙ୍କ ସହିତ ମିତ୍ରତା ହେତୁ କଣ? ଆମ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ସେମାନଙ୍କର ହସ୍ତକ୍ଷେପ କାହିଁକି?” ଅଶୋକ ତାଙ୍କର ଏହି ପ୍ରଶ୍ନର କୌଣସି ଉତ୍ତର ମଧ୍ୟ ସେ ବନ୍ଦୀ ମାନଙ୍କଠାରୁ ପାଇଲେ ନାହିଁ ।

ଅଶୋକ ତା’ପରେ ଗମ୍ଭୀର କଣ୍ଠରେ କହିଲେ, “ଏବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଗ୍ରୀକ୍ ଓ କିଛି ନୀଚ, ସ୍ୱାର୍ଥପର ସ୍ଥାନୀୟ ଦଳପତି ଏକାଠି ମିଳିମିଶି ଏହି ବିଦ୍ରୋହର ଷଡଯନ୍ତ୍ର ରଚନା କରିଛନ୍ତି । ଏକ ସମୟରେ ସାମ୍ରାଜ୍ୟର ଏହି ପ୍ରାନ୍ତ ଗ୍ରୀକ୍ ମାନଙ୍କର ଅଧୀନସ୍ଥ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ ଚନ୍ଦ୍ରଗୁପ୍ତ, ଏଠାରୁ ଗ୍ରୀକ୍ ମାନଙ୍କୁ ବିତାଡିତ କରି ମଗଧରାଜ୍ୟର ସୀମା ବିସ୍ତାରିତ କରିଥିଲେ । ଏହି ଅପମାନର ଦାଗ ଏପର୍ଯ୍ୟନ୍ତ ଗ୍ରୀକ୍ମାନଙ୍କ ମନରୁ ଲିଭିନାହିଁ । ସେମାନଙ୍କର ଏହି ପ୍ରଚେଷ୍ଟାରୁ ଏହା ସ୍ପଷ୍ଟ ହୋଇଯାଉଛି ।  କିନ୍ତୁ ଯେଉଁମାନେ ଗ୍ରୀକ୍ମାନଙ୍କ ସହିତ ହାତ ମିଳାଇ ଏହି ଆନ୍ଦୋଳନ ସୃଷ୍ଟି କରିଛନ୍ତି, ସେମାନଙ୍କର ଏହି ହୀନ ଉଦ୍ୟମକୁ ଆମେ ସମର୍ଥନ କରିପାରିବା କି? ନିଜ ଦେଶକୁ ବିଦେଶୀ ହାତରେ ସମର୍ପଣ କରିବାର ନିକୃଷ୍ଟ ମନୋବୃତି ପାଇଁ ସେମାନଙ୍କୁ ଆଦୌ କ୍ଷମା ମିଳିବ ନାହିଁ । ସେମାନେ କଠୋରତମ ଶାସ୍ତି ପାଇବାକୁ ହିଁ ଯୋଗ୍ୟ ।”

ବିଦ୍ରୋହୀମାନଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବ, ତାହା ଜାଣିବା ପାଇଁ ଜନତା ଉତ୍ସୁକ ହୋଇ ଉଠିଲେ । ନୀରବତା ଭଙ୍ଗ କରି ଅଶୋକ ଘୋଷଣା କଲେ, “ଆମ ରାଜ୍ୟରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଯେଉଁ ବିଦେଶୀମାନେ ପ୍ରରୋଚନା ଦେଇଛନ୍ତି, ସେମାନଙ୍କୁ ଫାଶୀଦଣ୍ଡ ମିଳିବ । ସେମାନଙ୍କୁ ସହଯୋଗ କରିଥିବା ରାଜଦ୍ରୋହୀ, ସେଶଦ୍ରୋହୀମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ।” ଘୋଷଣାର ସମାପ୍ତି ପରେ ଅଶୋକ ମୁହଁ ବୁଲାଇନେଲେ । “କ୍ଷମା କରନ୍ତୁ, ଯୁବରାଜ, ଅଜାଣତରେ ଆମେ ଏପରି ଭୁଲ୍ କରିଛୁ । ଭବିଷ୍ୟତରେ ଏପରି ଆଦୌ ଘଟିବ ନାହିଁ । ଆମକୁ ଦୟାକରି ପ୍ରାଣ ଭିକ୍ଷା ଦିଅନ୍ତୁ । ଏଣିକି ଆମେ ଏ ବିଷୟରେ ସାବଧାନ ରହିବୁ ।” ଏପରି କହି ଜଣେ ବନ୍ଦୀ କାନ୍ଦି ଉଠିଲା ।

ଅଶୋକ ପୁଣିଥରେ ବୁଲିପଡି କହିଲେ, “ଦେଶଦ୍ରୋହୀଙ୍କୁ କ୍ଷମା ପ୍ରଦାନ ଏକ ଉଚିତ୍ କାର୍ଯ୍ୟ ନୁହେଁ । ଏହି ଦଣ୍ଡ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବ । ସେମାନଙ୍କ ପ୍ରତି ଏହା ଏକ ଚେତାବନୀ ହୋଇ ରହିବ ।” ଏପରି କହି କର୍ମଚାରୀମାନଙ୍କ ଆଡକୁ ଥରେ ଦୃଷ୍ଟି ନିକ୍ଷେପ କରି ଅଶୋକ ଅଶ୍ୱାରୋହଣ କରି ଶିବିର ଦିଗରେ ଅଗ୍ରଶର ହେଲେ । ସେଇ ମୁହୂର୍ତ୍ତରେ ସମସ୍ତ ବନ୍ଦୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ସେଠିକାର ବାତାବରଣରେ ଘୋଟିଆସିଲା ଭୟାନକ ମୃତ୍ୟୁର କରାଳ ଛାୟା ।

 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!