ଅଧା ରହିଗଲା ଚଉଠି ରାତି


 ମା’ ବାପା ଯେତେ ବୁଝେଇଲେ ମଧ୍ୟ ନରେନ୍ଦ୍ରକୁ ବାହା ହେବା ପାଇଁ ଜମା ରାଜି ନ ଥିଲା ସୋନିଆ । ଏକା ଜିଦି ଯଦି ବାହା ହେବ ତ କେବଳ ତା ପ୍ରେମିକ ନବୀନ୍‌କୁ । କିନ୍ତୁ ଗୋଟେ ମଦୁଆ ଗଞ୍ଜଡିଆକୁ କେମିତି କିଏ ତା ଜୋଇଁ କରିବାକୁ ରାଜି ହୋଇଥାଆନ୍ତା ! ଜବରଦସ୍ତି ବାହା କରେଇଦେଲେ ସୋନିଆକୁ ନରେନ୍ଦ୍ର ସହ । ନରେନ୍ଦ୍ରର ବାପା ମା’ ମଧ୍ୟ ସୋନିଆର ଇତିହାସ ଅଜ୍ଞାନୀ କେବଳ ଭୁଗୋଳରେ ପ୍ରସନ୍ନ ହୋଇ ତାକୁ ବୋହୁରୂପେ ଗ୍ରହଣ କରିବାକୁ ରାଜି ହୋଇ ଯାଇଥିଲେ । ନବୀନ୍‌ ମଧ୍ୟ ବହୁତ ଡରେଇଥିଲା ସୋନିଆକୁ ନ ପାଇଲେ ହାତ କାଟିଦେବ, ନଈ କୁ ଡେଇଁ ପଡ଼ିବ, ଆତ୍ମ ହତ୍ୟା ପାଇଁ ସୋନିଆ ଦାୟୀ ହେବ ହେଲେ ଏହି ଧମକ୍‌ର ପ୍ରଭାବ ପଡ଼ିନଥିଲା ସୋନିଆର ବାପା ମା’ଙ୍କ ଉପରେ । ବାହାଘର ତା ବାଟରେ ହୋଇଯାଇଥିଲା ।


ଶାଶୁଘରେ ପାଦ ରଖିସାରିଥିଲା ସୋନିଆ ହେଲେ ମନ ତ ଛାଡି ଆସିଥିଲା ପ୍ରେମିକ ପାଖରେ । ବାହାଘରର ଦିନେ ଦି ଦିନ ପର୍ଯ୍ୟନ୍ତ ସୋନିଆ ପାଖକୁ ନବୀନ୍‌ର ଅନେକ ଦୁଃଖଭରା ମେସେଜ ଆସୁଥାଏ ଓ ତା ସହ ଆସୁଥାଏ ନବୀନ୍‌ର ମଦ ପିଇ ବୋତଲକୁ ମୁଣ୍ଡରେ ଭାଙ୍ଗିଦେବା, ଦୁଃଖରେ ରାସ୍ତାରେ ଚିଲ୍ଲାଇଲା ଭଳି ଅନେକ ଦୁଃଖଦ ଭିଡିଓ । ନଣନ୍ଦ ଦିଅର ଯେତେ ଥଟା ମଜା କଲେ ମଧ୍ୟ ଲୁହର ଝରଣା ଥମୁ ନ ଥାଏ ସୋନିଆ ଆଖିରୁ । ମଦ ନିଶାରେ ନବୀନ୍‌ର ଏପରି ପାଗଳାମିର ଖବର ସୋନିଆକୁ ତା ସାଙ୍ଗ ମମତା ମଧ୍ୟ ଦେଉଥାଏ ଏବଂ ସୋନିଆକୁ ଡରାଉଥାଏ, “ନବୀନ୍‌ ତୋ ବିନା ବଞ୍ଚି ପାରିବନି, ମରିଯିବା ଇତ୍ୟାଦି ଇତ୍ୟାଦି ।

ଚାରିଦିନ ତିନିରାତି ଏମିତି ମଦ ଓ ଲୁହରେ କଟିଯାଇଥିଲା ନବୀନ୍‌ ଓ ସୋନିଆ ପାଇଁ । ସେ ରାତିଥିଲା ଚତୁର୍ଥ ରାତି, ସୋନିଆ ଓ ନରେନ୍ଦ୍ରଙ୍କ ଚଉଠି ରାତି । ପ୍ରେମିକ ବିନା ପ୍ରେମିକାର ଚାଉଥିରାତିରେ ଦୁଃଖ ଓ ଲୁହ ଛଡା ଯଦି ଆଉ କିଛି ଥାଏ, ତେବେ ସେ ହେଲା ସ୍ୱାମୀ । କିନ୍ତୁ ସେ ଦିନ ସେତେବେଳକୁ ଆସି ନ ଥାଏ ନରେନ୍ଦ୍ର ସୋନିଆ ରୁମ କୁ । ଖଟ ଉପରେ ବସି ସୋନିଆ ମୋବାଇଲକୁ ଅନାଇଥାଏ ଓ କାନ୍ଦୁଥାଏ । ସମୟ ହୋଇସାରିଥିଲା ରାତି ଦଶଟା । କେତେବେଳେ ବି ସ୍ୱାମୀର ପ୍ରବେଶ ହୋଇଯାଆନ୍ତା ମିଳନ ପାଇଁ । କିନ୍ତୁ ଚଉଠି ରାତିରେ ସ୍ୱାମୀର ପ୍ରବେଶ ପୂର୍ବରୁ ସୋନିଆକୁ ଆସିଥିଲା ମମତାର ମେସେଜ । ଲେଖାଥିଲା “ମଦ ନିଶାରେ ରାସ୍ତାରେ ବୁଲୁଥିଲାବେଳେ ରାସ୍ତାକଡ ପଥରରେ ମୁଣ୍ଡ ବାଜି ନବୀନ୍‌ର ମୃତ୍ୟୁ” । ପ୍ରେମିକାର ଚଉଠି ରାତିରେ ପ୍ରେମିକର ମୃତ୍ୟୁ । ହୋସ ଉଡିଯାଇଥିଲା ସୋନିଆର ଏ ମେସେଜ ପଢ଼ି । ସ୍ଵାମୀଯୁକ୍ତ ଅର୍ଦ୍ଧାଙ୍ଗିନିରୁ ସେ ପାଲଟି ଯାଇଥିଲା ପ୍ରେମିକା ହିନା ପାଗେଳୀନି । ପ୍ରେମିକର ମୃତ୍ୟୁ ଖବର ପଢି ଆଖିରୁ ଲୁହ ଶୁଖିଯାଇଥିଲା ସୋନିଆର । ଲିଭିଗଲା ମୋବାଇଲ ସ୍କ୍ରିନ୍‌ରେ ସୋନିଆ ଦେଖୁଥିଲା ନିଜ ଚେହେରାକୁ । “ଏଇ ସେ ସିନ୍ଦୁର ଯେଉଁ ସିନ୍ଦୁର ନେଇଗଲା ମୋ ନବୀନ୍‌ ଜୀବନ । ଏଇ ସେଇ ସିନ୍ଦୁର ଯିଏ ଦୂରେଇଦେଲା ମତେ ମୋ ପ୍ରେମିକ ଠାରୁ । ଏଇ ସିନ୍ଦୁର ହିଁ ହେଉଛି ମୋ ପ୍ରେମିକାର ମୃତ୍ୟୁର କାରଣ । ତୋ ପାଇଁ ଯଦି ଏ ପ୍ରେମିକାର ବିଚ୍ଛେଦ ଘଟିଛି ତା ପ୍ରେମିକ ଠାରୁ ତେବେ ତାଟିଏହିଁ ହେବାକୁ ପଡ଼ିବ ମିଳନର କାରଣ -” ଏପରି ଭାବି ନିଜ ମଥାର ସିନ୍ଦୂରାକୁ ପୋଛିଦେଲା ସୋନିଆ । ଖଟ ଉପରକୁ ଉଠିଯାଇ ବାପ ଘରୁ ଆଣିଥିବା ସିନ୍ଦୁର ଫରୁଆରୁ ସବୁ ସିନ୍ଦୂରକୁ ଏକା ଥରକେ ଖାଇଦେଲା ସୋନିଆ । ହଁ ଖାଇଦେଲା ନବବଧୂ ସିନ୍ଦୁର ସବୁ । ସୋନିଆ ପାଠପଢ଼ା ଝିଅ ଥିଲା । ତା ପାଇଁ ସିନ୍ଦୁରର ଅର୍ଥ ସ୍ୱାମୀ ଓ ସ୍ତ୍ରୀଙ୍କ ହୃଦୟକୁ ଯୋଡ଼ୁଥିବା ଯୋଗ ସୂତ୍ର ନୁହେଁ ବରଂ ତା ପାଇଁ ସିନ୍ଦୁର ର ଅର୍ଥ ଥିଲା ବିଷ । ସେ ଜାଣିଥିଲା ଦୁନିଆ ଯେଉଁ ସିନ୍ଦୂରାକୁ ବିବାହିତା ନାରୀ ମଥାର ମୁକୁଟ ବୋଲି ଆକ୍ଷା ଦେଇଛି, ସେ ମୁକୁଟ ସିନ୍ନିବାର୍‌, ମରକ୍ୟୁରୀ, ଲେଟ୍‌ ଟେରେକ୍ସାଇଡ୍‌ ଭଳି ବିଷାକ୍ତ ପଦାର୍ଥରେ ତିଆରି ଯାହା ମଣିଷ ଶରୀରକୁ ଗଲେ ମୃତ୍ୟୁ ସୁନିଶ୍ଚିତ ।

ଚଉଠି ରୁମ୍‌ର କବାଟ ଖୋଲନ୍ତେ ସ୍ୱାମୀ ନରେନ୍ଦ୍ର ଦେଖିଲେ ସ୍ତ୍ରୀ ତଳେ ଶୋଇଛି । ଗୋଲାପରେ ଶୁସଜ୍ଜିତ ଶଯ୍ୟା ଥାଉ ଥାଉ ସ୍ତ୍ରୀ ତଳେ ଶୋଇଥିବାର ଦେଖି ମୁରୁକି ହସି ଦେଲେ ନରେନ୍ଦ୍ର । ଭାବିଲେ ଅନୁମତି ମାଗିବା ପୂର୍ବରୁ ନିଦ ହୋଇଯାଇଛି ସ୍ତ୍ରୀ କୁ । ପାଖକୁ ଆସି ନିଜ ହାତରେ କୋଳେଇ ଖଟ ଉପରକୁ ନେଇଗଲେ ସୋନିଆକୁ । କିନ୍ତୁ ସେ ଜାଣିଯାଇଥିଲେ ତାଙ୍କ ସ୍ତ୍ରୀଙ୍କର ଏ ନିଦ ସ୍ବପ୍ନ ଦେଲା ନିଦ ନୁହେଁ, ଏ ନିଦ ହେଉଛି ବେହୋସିର ନିଦ । ନରେନ୍ଦ୍ର ଉଠେଇବାକୁ ଚେଷ୍ଟାକଲେ ସୋନିଆକୁ ସଫଳ ହେଲେ ନାହିଁ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ ସୋନିଆକୁ । ସେଠାରେ ଡାକ୍ତର ସୋନିଆକୁ ମୃତ ଘୋଷଣା କରିଦେଲେ । ସକାଳ ହେଲା ବେଳକୁ ପୋଷ୍ଟ୍‌ମଟମ୍‌ ରିପୋର୍ଟ ମଧ୍ୟ ଆସି ସାରିଥିଲା, “ମାତ୍ରାଧିକ ସିନ୍ଦୁର ସେବନ ଯୋଗୁ ନବବଧୂର ଦେହାନ୍ତ ” । ପୋଲିସ ପହଞ୍ଚି ସାରିଥିଲା ଓ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଆରମ୍ଭ କରିସାରିଥିଲା । ସୋନିଆର ମା’ ବାପା ସିଧା ସଳଖ ଅଭିଯୋଗ ଆଣିଲେ ଯୌତୁକ ଲୋଭରେ ହତ୍ୟା କରାଯାଇଛି ତାଙ୍କ ଝିଅକୁ । ପୋଲିସ ମଧ୍ୟ କିଛି ନ ବୁଝି ନ ସୁଝି ହାଜତରେ ଭର୍ତ୍ତି କରିଦେଇଥିଲା ନରେନ୍ଦ୍ର ଓ ତା ବାପା ମା’ଙ୍କୁ । କୋର୍ଟ ଚାଲାଣ କରିବା ପୂର୍ବରୁ ପୋଲିସ ସୋନିଆର ମୋବାଇଲ ଜବତ୍‌ କରିବାକୁ ଚାହିଁଥିଲା । କିନ୍ତୁ ସୋନିଆର ମା ବାପା କହିଲେ ତାଙ୍କ ଝିଅ ବିନା ମୋବାଇଲ ଫୋନ୍‌ରେ ଶଶୁର ଘର ଯାଇଥିଲା । ନରେନ୍ଦ୍ର ଓ ତା ମା ବାପାଙ୍କ ସପକ୍ଷରେ ପ୍ରମାଣ ଅଭାବ ଯୋଗୁଁ ସେମାନେ ଦୋଷୀ ପ୍ରମାଣିତ ହୋଇଗଲେ ଓ ଦଣ୍ଡ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ । ନରେନ୍ଦ୍ର ବୁଝିପାରିଲାନି କଣ ହେଲା ! ତାର ଚଉଠି ରାତି ଅଧା ରହିଯାଇଥିଲା ଓ ଜୀବନ ସରିଯାଇଥିଲା । ଜେଲ୍‌ରେ କଟିବ ତାର ଯୌବନ ଓ ତା ବାପା ମା’ଙ୍କ ବୃଦ୍ଧାବସ୍ଥା ।

ସୋନିଆର ବାପା ମା ମଧ୍ୟ ମିଛ କହି ନ ଥିଲେ । ତାଙ୍କ ଝିଅ ବିନା ମୋବାଇଲ୍‌ଫୋନ୍‌ରେ ବିଦା ହୋଇଥିଲା । କିନ୍ତୁ ନବୀନ୍‌ ଦେଇଥିବା ଫୋନଟିକୁ ଲୁଚାଇ ନେଇଥିଲା ବୋଲି ସେମାନେ ଅଜଣା ଥିଲେ । ଚଉଠି ରାତି ପାହୁ ପାହୁ ସୋନିଆ ମୋବାଇଲ୍‌କୁ ମମତାର ମେସେଜ ଆସିଥିଲା “ନବୀନ୍‌ ମରିନି, ମଦ ନିଶାରେ ରାସ୍ତା କଡରେ ପଡିଥିଲା । ସକାଳୁ ଘରକୁ ଫେରି ଆସିଲାଣି । ” ହେଲେ ମେସେଜ ପଢିବାକୁ କେହି ନ ଥିଲେ । ଫୋନ୍ରୁ ଚାର୍ଜ ସରିଗଲା ପରେ ଫୋନ୍‌ଟି ଅଫ୍‌ ହୋଇଗଲା । ମମତା ମନେ ମନେ ବହୁତ ଦୁଃଖ କରେ ତା’ର ଗୋଟେ ଭୁଲ୍‌ ମେସେଜ ପାଇଁ ସୋନିଆ ଚାଲିଗଲା ଓ ଗୋଟେ ନିର୍ଦ୍ଦୋଷ ପରିବାରକୁ ଜେଲ ହୋଇଗଲା ।

ଏହି ଘଟଣାର ୬ ମାସ ପରେ ନରେନ୍ଦ୍ରର ମା’ ଜେଲରେ ହୃଦ୍‌ଘାତରେ ପ୍ରାଣ ହରାଇଲେ । ସେପଟେ ନବୀନ୍‌ର ବାହାଘର ପ୍ରସ୍ତୁତି ଚାଲିଥାଏ ମମତା ସହିତ । ସୋନିଆ ଜୀବନ ନଷ୍ଟ କରିବା ପାଇଁ ଏହା ନବୀନ୍‌ । ମମତାଙ୍କର ଚାଲ୍‌ ନ ଥିଲା ତା !

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!