ଜୀବନ


 ଚତୁର୍ଥ ଶ୍ରେଣୀର ଛୋଟ ଝିଅଟେ ସେ। ସବୁଠୁ ବୁଦ୍ଧିମତୀ ବୋଲି ମୋତେ ଭାରୀ ଭଲ ଲାଗେ ତାକୁ। ବଡ ହେଲେ କଣ ହବୁ ବୋଲି ପଚାରିଲେ କହେ ତମ ଭଳି ପାଠ ପଢେଇବି । ଟିକେ ବେଶୀ ଗେହ୍ଲା ବି ହୁଏ ମୋ ସାଥୀରେ।ସବୁ ପିଲାଙ୍କୁ ନେତୃତ୍ବ ଦେଲା ଭଳି ତା ଭିତରେ ଶକ୍ତି ବି ଅଛି ।କିନ୍ତୁ ଯେତେହେଲେ ବି ତ ଛୋଟ ଛୁଆଟେ । ସବୁ ପିଲାଙ୍କୁ ମୁଁ କହି ଦେଇଥାଏ ସବୁ ଦିନ ସ୍କୁଲ୍ ଆସିଲେ ତମେ ଦିନେ ନିଶ୍ଚୟ ଭଲ ମଣିଷ ହେବ ।ମୋର ଏଇ କଥାକୁ ମନ୍ତ୍ର ଭଳି ସିଏ ସବୁ ପିଲାଙ୍କ କାନରେ ଫୁଙ୍କେ। ଆସିବାକୁ ରାଜି ହଉ ନଥିବା ପିଲାକୁ ବି ମନେଇ କି ସେ ସ୍କୁଲକୁ ଆଣେ । ଏତିକି କରିବାକୁ ତାକୁ କମ୍ ସାଧ୍ଯ ସାଧନା କରିବାକୁ ପଡୁ ନଥିବ !


ଆଜି ସ୍କୁଲରେ ଦେଖିଲି ତା ବାଁ ହାତରେ କଣ ଗୁଡେ ବୋଳିଚି ।ଶାଗୁଆ ଶାଗୁଆ କିଛି ପତ୍ରର ରସ।ଭାବିଥିଲି କଣ ସବୁ ଖେଳୁଥିବେ ସେମାନେ ।ହାତ ନ ଧୋଇ କି ପଳେଇ ଆସିଛି ।ପାଖରେ ତା ହାତକୁ ଦେଖି ଶିହରି ଉଠିଲି ।କେତେ ବଡ ଫୋଟକାଟେ !

"କେମିତି ହେଲା ଏଇଟା ?"ଆଶ୍ଚର୍ଯ୍ଯ ହେଇକି ପଚାରିଲ ।ମୋତେ ଆହୁରି ଆଶ୍ଚର୍ଯ୍ଯ କରିଦେଇ କହିଲା,"ଭାତ ରାନ୍ଧୁଥିଲି ।"ଅବଶ୍ଯ କୁଲୀ ପରିବାରରେ ଏଗୁଡା କୋଉ ନୂଆ କଥା । ହେଲେ ଏତେ ଛୋଟ ଝିଅଟେ !ମନ ବୁଝୁ ନଥାଏ।ଯୋଗକୁ ତା ମାଆକୁ ଭେଟିଲି ଦିପହରେ। "ଆଠ ନ ବର୍ଷର ଛୋଟ ଝିଅକୁ ଚୂଲୀ ପାଖକୁ କାହିଁକି ଛାଡୁଛ ?" ମୁଁ ରୀତିମତ ଜେରା କଲି ।କରୁଣ ଆଖିରେ ତା ମାଆ ମୋତେ ଚାହିଁଲା ।ମୁଁ ଆଉ ଟିକେ କଠୋର ହେଇ କି ପଚାରିଲି ,"ଯଦି ବେଶୀ ପୋଡି ଯାଇଥାନ୍ତା ଏବେ ତମେ କଣ କରୁଥାନ୍ତ ?ତମକୁ ଟିକେ ଖରାପ ଲାଗି ନଥାନ୍ତା ?"

ବାଧ୍ଯ ହେଇ ସେ ମାଟିରୁ ମୁହଁ ଟେକି ମୋତେ ଚାହିଁଲା ।' ଆମ ପିଲାଙ୍କୁ ଭଗବାନ ଭରସା । ପାହାନ୍ତିଆରୂ ମୁଁ ତ ଧାନକାଟି ଯାଇଥିଲି । ଆଉ କିଏ ଅଛି ଯେ ଭାତ ରାନ୍ଧିଥାନ୍ତ ? ଆମେ ତ ଖଟିଲେ ଖାଇବୁ । ଆମ ପିଲେ ଆଉ କଣ କରିବେ ?"

ସତ କଥା । ବଞ୍ଚିବା ପାଇଁ ଜୀବନଟା ତିଆରି ହେଇଛି । କିଏ ଅୟସରେ ଦିନ କାଟୁଛି ତ କିଏ ଯୁଝି ଯୁଝି ଜୀଉଁଛି । କିନ୍ତୁ ଜୀବନ ପାଖରୁ କଣ କିଏ ଏତେ ସହଜରେ ହାରି ଯାଉଛି ?ଯେମିତି ଜୀବନ ମିଳୁ ପଛେ ତାକୁ ଜୀଇଁବାପାଇଁ ପାରୁ ପର୍ଯ୍ଯନ୍ତେ ସମସ୍ତେ ଲାଗିଛନ୍ତି । ଆଉ ଏଇ କୁଲୀ ପରିବାରଗୁଡିକ ତ ଜୀବନର ଅନ୍ଯନାମ ସଂଗ୍ରାମ ବୋଲି ହିଁ ବୁଝନ୍ତି ।ସଂଗ୍ରାମରେ ପଛଘୁଞ୍ଚା ନାହିଁ।ବରଂ ସଂଗ୍ରାମରେ ଅବତୀର୍ଣ୍ଣ ହେଇ ଯେମିତି ପରିସ୍ଥିତି ଆସୁ ପଛେ ରୀତିମତ ଲଢେଇ ଚାଲୁ ରଖନ୍ତି । ଏଠି କେବଳ ବଞ୍ଚିଯିବାକୁ ହିଁ ଜିତିବା ବୁଝାଏ ,ଆଉ ଅଧିକ କିଛି ବି ନୁହେଁ।ଏଇ ଯୁଦ୍ଧକୁ ହିଁ ସେମାନେ କୁହନ୍ତି ଜୀବନ । ସେଇଥିପାଇଁ ଏତେ କଷ୍ଟରେ ବି ଆଜି ମୁଁ ଯାହା କିଛି ପଢେଇଲି ସ୍ଥିର ମନରେ ସେ ସବୁ କିଛି ମନ ଦେଇ ପଢିଲା । ବାରମ୍ବାର ତା ହାତକୁ ସେ ଫୁଙ୍କି ପକଉଥାଏ। ତା ସତ୍ବେ ବି ମୋ କଥା ସବୁ ମନ ଦେଇ ସେ ଶୁଣୁଥିଲା । ଜୀବନର ଇଏ ବି ଏକ ବାସ୍ତବ ଚିତ୍ର।ତାର ଅନ୍ଯନାମ ହେଇପାରେ ଯୁଦ୍ଧ ।

ଶୁଭରାତି ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!