ଉପଯୁକ୍ତ ବରପାତ୍ର


 ଥରେ ଜଣେ ସାଧୁ ଏକ ନଦୀରେ ସ୍ନାନ କରୁଥାନ୍ତି । ପ୍ରତିଦିନ ସ୍ନାନ କରିସାରିବା ପରେ ସେ ସାଧୁ ଜଣକ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସାଧୁ ଜଣକ ଧ୍ୟାନ କରିବା ସମୟରେ ହିଁ ଗୋଟିଏ ଲାଲ୍ ବେଙ୍ଗୁଲି ଜୋର୍ରେ ରାବ କରେ । ତେଣୁ ସେ ସାଧୁଙ୍କ ଧ୍ୟାନ ଭଗ୍ନ ହୋଇଯାଏ । ଦିନେ ସାଧୁ ଠିକ୍ କଲେ ସେ ଲାଲ୍ ବେଙ୍ଗୁଲିକୁ ଧରି ଉପଯୁକ୍ତ ଶିକ୍ଷା ଦେବେ ।


                ଏପରି ଚିନ୍ତା କରି ଦିନେ ସେ ସାଧୁ ଗୋଟିଏ ସୁନା କଳସ ସାଙ୍ଗରେ ନେଇଗଲେ । ସୁନା କଳସ ଦେଖି ସେ ବେଙ୍ଗୁଲିର ଭାରି ଲୋଭ ହେଲା । ତେଣୁ ସେ ସୁନାକଳସ ଭିତରେ ପଶିଗଲା ବେଙ୍ଗୁଲି । ସାଧୁ କଳସ ଭିତରେ ବେଙ୍ଗୁଲି ପଶିବାର ଦେଖି ସେ କଳସର ମୁହଁ ସେହି କ୍ଷଣି ବନ୍ଦ କରିଦେଲେ । ତାପରେ ସେ ବେଙ୍ଗୁଲି କଳସ ଭିତରେ ବନ୍ଦୀ ହୋଇ ରହିଲା । ତେଣୁ ଦିନ ରାତି ଖାଲି ସେ ବେଙ୍ଗୁଲି କାନ୍ଦୁଥାଏ । ଦିନେ ସେ ବେଙ୍ଗୁଲି ବହୁତ ନେହୁରା ହୋଇ କହିଲା – ହେ ମହାପୁରୁଷ, ମୁଁ ଆପଣଙ୍କୁ ଆଉ କେବେବି ହଇରାଣ କରିବି ନାହିଁ । ମତେ ଏଥର ମୁକ୍ତି ଦିଅନ୍ତୁ । ସେ ଲାଲ୍ ବେଙ୍ଗୁଲିର ଏପରି କଥା ଶୁଣି ସାଧୁଙ୍କର ତା’ଉପରେ ଟିକେ ଦୟା ହେଲା । ତେଣୁ ସେ ସୁନାକଳସ ମଧ୍ୟରୁ ବେଙ୍ଗୁଲିକୁ ବାହାର କରିଦେଲେ । ମାତ୍ର ସୁନା କଳସରୁ ବାହାରିବା ମାତ୍ରକେ ସେ ବେଙ୍ଗୁଲି ହଠାତ୍ ଏକ ସୁନ୍ଦର ଝିଅରେ ପରିଣତ ହୋଇଗଲା ।

କିଛି ଦିନପରେ ସେ ସାଧୁ ଭାବିଲେ – ଏବେ ଏ ଝିଅଟିର ବିବାହ କରିଦେବା ଉଚିତ୍ ହେବ । କନ୍ୟାଦାନ କରି ଏ ଜନ୍ମରେ ମହାପୁଣ୍ୟ ହେବ ଭାବି ସାଧୁ ଯୋଗ୍ୟ ବରପାତ୍ର ସନ୍ଧାନରେ ବାହାରିଗଲେ । କିଛି ବାଟ ଗଲାପରେ ସେ ସାଧୁ ଜଣକ ରାଜ୍ୟର ରାଜକୁମାରଙ୍କୁ ଦେଖିଲେ । ତହୁଁ ସାଧୁ ସେ ରାଜକୁମାରଙ୍କୁ କହିଲେ, “ହେ ପୁତ୍ର” ମୋର ଏକ ସୁନ୍ଦରୀ କନ୍ୟା ଅଛି । ତୁମେ ମୋ କନ୍ୟାକୁ ପସନ୍ଦ କଲେ ତୁମ ସହିତ ତାକୁ ମୁଁ ବିବାହ ଦେବି । ଏକଥା ଶୁଣି ସେ ରାଜକୁମାର କହିଲେ – ବରପାତ୍ର ହେବା ପାଇଁ କ’ଣ ଯୋଗ୍ୟତା ଆବଶ୍ୟକ । ଏକଥା ଶୁଣି ସାଧୁ କହିଲେ – “ଏ ସଂସାରରେ ଯେଉଁ ବ୍ୟକ୍ତି କାହାକୁ ବି ଭୟ କରୁନଥିବ ମୁଁ ତାଙ୍କୁ ହିଁ ମୋ କନ୍ୟା ଦେବି ।”

                ଏପରି କଥା ଶୁଣି ସେ ରାଜକୁମାର କହିଲେ – ମୁଁ କାହାରିକୁ ମଧ୍ୟ ଭୟ କରେନା ସତ ମାତ୍ର ସାପକୁ ବହୁତ ଡରେ । କାହିଁକିନା ପିଲାଦିନେ ଏକ ଭୟଙ୍କର ବିଷାକ୍ତ ସାପ ମତେ କାମୁଡି ଦେଇଥିଲା । ତେଣୁ ମୋ ଠାରୁ ବରଂ ସାପ ଉପଯୁକ୍ତ ବର ପାତ୍ର ହେବ ।

ଏ କଥା ଶୁଣି ସାଧୁ ବିବ୍ରତ ହୋଇ ପଡିଲେ । ତାପରେ ସେ ସାପ ପାଖକୁ ଗଲେ । କହିଲେ – ହେ ସର୍ପ ମହାଶୟ, କେବଳ ଆପଣ ହିଁ କାହାକୁ ଡରନ୍ତି ନାହିଁ । ତେଣୁ ମୋ କନ୍ୟାକୁ ଆପଣ ବିବାହ କରନ୍ତୁ । ଏ କଥା ଶୁଣି ସାପ ତା ଫଣା ଟେକି ନାଚି ଉଠିଲା ମାତ୍ର କିଛି ସମୟ ମଧ୍ୟରେ ସେଠାରେ ଏକ ନେଉଳ ଆସି ପହଁଚିଲା । ସେ ନେଉଳକୁ ଦେଖିବା କ୍ଷଣି ସାପ ତୁରନ୍ତ ବଣୁଆ ଗାତ ମଧ୍ୟକୁ ଚାଲିଗଲା । ସାଧୁ ଦେଖିଲେ ଯେ, ଏ ସାପ ଠାରୁ ନେଉଳ ଉପଯୁକ୍ତ ବରପାତ୍ର ।

ଏହାପରେ ସେ ସାଧୁ ନେଉଳକୁ କହିଲେ ତୁମେ ମୋ କନ୍ୟାକୁ ବିବାହ କର । କାରଣ ତୁମେ ହିଁ ଏ ସଂସାରରେ ସବୁଠୁ ସାହସୀ । ତୁମର କାହା ପ୍ରତି ଟିକିଏ ବି ଡର ନାହିଁ । ମୋ ଝିଅ ପାଇଁ ତୁମେହିଁ ଶ୍ରେଷ୍ଠ । ଏକଥା ଶୁଣି ସେ ନେଉଳ କହିଲା – ‘ମୁଁ କାହାକୁ ଡରେ ନାହିଁ ସତ ମାତ୍ର ନିଆଁକୁ ଅତ୍ୟଧିକ ଭୟ କରେ । ତେଣୁ ମୋ ମତରେ ନିଆଁ ସହିତ ଆପଣ ଆପଣଙ୍କର କନ୍ୟାକୁ ବିବାହ କରିଦିଅନ୍ତୁ ।’ ତାପରେ ସାଧୁ ନିଆଁ ପାଖକୁ ଗଲେ । କହିଲେ ଆପଣ ଅଗ୍ନି ଦେବତା । ଆପଣଙ୍କୁ ତ ଏ ସଂସାରର ସମସ୍ତେ ଡରନ୍ତି । ତେଣୁ ଆପଣ ହିଁ ମୋ ଝିଅ ପାଇଁ ଉପଯୁକ୍ତ ବରପାତ୍ର । ତେଣୁ ମୋ ଝିଅକୁ ଆପଣ ହିଁ ବିବାହ କରିବେ ।

ଏ କଥା ଶୁଣି ନିଆଁ ହଠାତ୍ ଚମକି ପଡିଲା । କହିଲା – ମୁଁ ତ ସମସ୍ତଙ୍କୁ ପୋଡି ଜାଳି ମାରିଦେଇପାରେ ମାତ୍ର ପାଣିକୁ ନୁହେଁ । ମୁଁ କେବଳ ଏ ସଂସାରରେ ପାଣିକୁ ହିଁ ଭୟକରେ । ତେଣୁ ଆପଣ ପାଣି ସହିତ ଆପଣଙ୍କ ଝିଅର ବିବାହ କରିଦିଅନ୍ତୁ ।

ତାପରେ ସେ ସାଧୁ ପାଣି ପାଖକୁ ଗଲେ । କହିଲେ – ଆପଣ ହିଁ ସଂସାରରେ ଶ୍ରେଷ୍ଠ । ଆପଣଙ୍କ ବିନା ସମସ୍ତେ ମରିବେ । ତେଣୁ ଆପଣହିଁ ମୋ ଝିଅ ପାଇଁ ଉପଯୁକ୍ତ ବରପାତ୍ର । ଏଣୁ ଆପଣ ମୋ ଝିଅକୁ ବାହା ହୁଅନ୍ତୁ । ଏକଥା ଶୁଣି ପାଣି କେବଳ ହସିବାକୁ ଲାଗିଲା । କହିଲା – ହେ ମହାପୁରୁଷ, ଟିକେ ପବନ ହେଲେ ମୁଁ ଥରି ଉଠେ । ମୁଁ ସମସ୍ତଙ୍କୁ ପାଣିରେ ଡୁବାଇ ମାରିପାରେ ମାତ୍ର ପବନକୁ ନୁହେଁ । ତେଣୁ ଆପଣ ପବନ ସହିତ ଆପଣଙ୍କ କନ୍ୟାର ବିବାହ କରିଦିଅନ୍ତୁ ।

ତାପରେ ସେ ସାଧୁ ପବନ ଦେବତାଙ୍କ ପାଖକୁ ଯାଇ ତାଙ୍କୁ ନିଜ ମନ କଥା ଜଣାଇଲେ । କହିଲେ – ହେ ପବନ ଦେବତା, ଆପଣ ହିଁ ମୋ ଝିଅ ପାଇଁ ଉପଯୁକ୍ତ ବର । ଆପଣ ତ ସମସ୍ତଙ୍କୁ ଥରହର କରିପାରିବେ । ଏ କଥା ଶୁଣି ପବନ ଦେବତା କହିଲେ ମୁଁ ସମସ୍ତଙ୍କୁ ତ ଥରହର କରି ଅସ୍ଥିର କରିପାରେ ମାତ୍ର ପାହାଡକୁ ନୁହେଁ । ତେଣୁ ମୋ ମତରେ ଆପଣ ପାହାଡ ସହିତ ଆପଣଙ୍କ କନ୍ୟାକୁ ବିବାହ ଦିଅନ୍ତୁ ।

ସାଧୁ ପବନ କଥା ଶୁଣି ପାହାଡ ପାଖକୁ ଗଲେ । କହିଲେ – ହେ ପାହାଡ । ତୁମେ ତ ବହୁତ ଧିର ଓ ଶକ୍ତ । ତୁମର ଏ ସଂସାରରେ କେହି କିଛି ବି କ୍ଷତି କରିପାରିବେନି । ଆଉ ମଧ୍ୟ ତୁମକୁ କେହିବି ଭୟ ଦେଖାଇ ପାରିବେ ନାହିଁ । ତେଣୁ ତୁମେ ହିଁ ପ୍ରକୃତରେ ଏ ସଂସାରରେ ଶକ୍ତିଶାଳୀ । ତେଣୁ ତୁମେ ହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର । ଏ କଥା ଶୁଣି ପାହାଡର ହସ ଶୁଖିଗଲା । ତାପରେ ସେ କହିଲା – ହେ ଆତ୍ମନ୍, ଆପଣ ଯାହା ବି କିଛି କହୁଛନ୍ତି ସେ ସବୁ ତ ଠିକ୍ । ମାତ୍ର ମୋ ବିଷୟରେ ଆଉ ଗୋଟିଏ କଥା ବୋଧହୁଏ ଆପଣ ଶୁଣି ନାହାଁନ୍ତି । ଟିକେ ଦେଖନ୍ତୁ ତ ମୋ ଦେହର ଅବସ୍ଥା । ସବୁ ସ୍ଥାନରେ ବଡ ବଡ ଗାତ । ଏ ସବୁ ଗୋଟିଏ ମୂଷାର କାମ । ମୁଁ ତ କେବଳ ତାକୁ ହିଁ ଭୟ କରେ । ସେ ଯେ କେଉଁ ଦିନ ମତେ ଚୁନା କରିଦେବ । ତାପରେ ମତେ ମାଟିରେ ମିଶାଇ ଦେବ । ମୋ ମତରେ ଆପଣ ଆପଣଙ୍କ କନ୍ୟାକୁ ମୂଷା ସହିତ ହିଁ ବାହାଘର କରିଦିଅନ୍ତୁ ।

ଏକଥା ଶୁଣି ସେ ସାଧୁ ଜଣକ ଅତ୍ୟନ୍ତ ଭାଙ୍ଗି ପଡିଲେ । ଏବେ ସେ କରନ୍ତେ ବା କ’ଣ? ତହୁଁ ସେ ସାଧୁ ଯାଇ ମୂଷା ପାଖରେ ପହଁଚିଲେ । କହିଲେ – ହେ ମୂଷିକ ସମ୍ରାଟ୍, ଆପଣହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର । ଆପଣ ପାହାଡ ଭଳି ଶକ୍ତିଶାଳୀ ବସ୍ତୁକୁ କାଟି ଚୂନା କରି ଦେଉଛନ୍ତି । ତେଣୁ ଆପଣ ହିଁ ମୋ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର । ଅତଏବ ଆପଣ ମୋ କନ୍ୟାକୁ ବିବାହ କରନ୍ତୁ ।

ଏ କଥା ଶୁଣି ମୂଷା ତା ଟିକି ଟିକି ଦାନ୍ତ ଦେଖାଇ ହସିବାକୁ ଲାଗିଲା । କହିଲା – ‘ହେ ସାଧୁ, ମହାରାଜ, ପାହାଡ ଠିକ୍ କଥା କହିଛି । ମାତ୍ର ସେ ଏକଥା କହିନାହିଁ ଯେ ମୁଁ ଚିଲକୁ ବହୁତ ଡରେ । ସେ ମତେ ଖୁମ୍ପି ଖାଇ ମାରିଦିଏ । ତେଣୁ ମୁଁ ସେ ଚିଲ ଡରରେ ହିଁ ପାହାଡ ଦେହରେ ସୁଡଙ୍ଗ କରିଛି । ଚିଲ ମତେ ଆକ୍ରମଣ କଲେ ମୁଁ ପାହାଡର ଏହି ସରୁ ସରୁ ସୁଡଙ୍ଗ ମଧ୍ୟରେ ଲୁଚିଯାଏ ।’ ମୂଷାର ଏକଥା ଶୁଣି ସାଧୁ ଚିଲକୁ ନିଜ ଘରକୁ ନିମନ୍ତ୍ରଣ କଲେ ।

ଚିଲ କହିଲା – ଏ କଥା ସତ ଯେ ମୁଁ କାହାକୁ ଡରେ ନାହିଁ କି ଭୟ କରେନାହିଁ ମାତ୍ର ଝିଅତ ଆପଣଙ୍କର ଆଉ ଆକାଶରେ ରହିପାରିବ ନାହିଁ । ସେ ଏହି ମାଟି ଉପରେ ହିଁ ରହିବ । ଆଉ ମାଟିରେ ପିମ୍ପୁଡିମାନେ ଘର କରନ୍ତି ସେମାନେ ମତେ ଦେଖିବା କ୍ଷଣି ଲକ୍ଷ ଲକ୍ଷ ସଂଖ୍ୟାରେ ମୋ ଉପରେ ଆକ୍ରମଣ କରିବେ । ତାପରେ ମତେ କାମୁଡି କାମୁଡି ମାରିଦେବେ । ତେଣୁ ମୁଁ କେବଳ ଆପଣଙ୍କ ଝିଅ ପାଇଁ ମୋ ଜୀବନକୁ କେବେବି ନଷ୍ଟ କରିପାରିବିନି । ଆପଣ ଏ ସମସ୍ୟାର ସମାଧାନ ପାଇଁ ପିମ୍ପୁଡିମାନଙ୍କ ପାଖକୁ ଯାଆନ୍ତୁ ।

ସାଧୁ ସେ ଚିଲ କଥା ଶୁଣି ପିମ୍ପୁଡିମାନଙ୍କ ପାଖକୁ ଗଲେ । ପିମ୍ପୁଡିମାନେ ସବୁଶୁଣି କହିଲେ – ହେ ସାଧୁପୁରୁଷ । ଆମ ହାତରେ ତ କିଛି ବି ନାହିଁ । ଆମ ମୁଖିଆ ରାଣୀ ପିମ୍ପୁଡି । ଆଉ ରାଣୀ ପିମ୍ପୁଡି ଝିଅଟିଏ ହୋଇ କ’ଣ ଝିଅକୁ ବିବାହ କରିବ ।

ଏକଥା ଶୁଣି ସାଧୁ ସେ ରାଣୀ ପିମ୍ପୁଡି ପାଖକୁ ଗଲେ । ତହୁଁ ସବୁ ଶୁଣି ସେ ରାଣୀ ପିମ୍ପୁଡି କହିଲା – ଆପଣ ଆଉ ଉଦାସ ହୁଅନ୍ତୁ ନାହିଁ । ମୋର ବେଙ୍ଗ ମହାରାଜଙ୍କୁ ବହୁତ ଡର । ସେ ଆମ୍ଭମାନଙ୍କୁ ଟକ୍ କିନା ଗିଳି ଶେଷ କରିଦିଅନ୍ତି । ତେଣୁ ବେଙ୍ଗ ମହାରାଜ ହିଁ ଆପଣଙ୍କ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ।

ତାପରେ ସେ ସାଧୁ ରାଣୀ ପିମ୍ପୁଡି କଥା ମାନି ବେଙ୍ଗ ମହାରାଜଙ୍କ ପାଖକୁ ଗଲେ । ବେଙ୍ଗ ମହାରାଜ କହିଲେ ମୁଁ ଆପଣଙ୍କୁ ତ ଆଦୌ ମିଛ କହିପାରିବି ନାହିଁ । ମୁଁ ଏ ସଂସାରରେ ବହୁତ ଭୟାଳୁ ଜୀବ । ଟିକେ ଭୟ ବା ଡର ହେଲେ ମୁଁ ଲୁଚିଯାଏ । ଜୋରଜୋର୍ ଶବ୍ଦ କରି ରାବେ । ମୋ ରାବ ଶୁଣି ଦେବତାଙ୍କ ଦୟାଭାବ ବଢିଯାଏ । ତାପରେ ସେ ବହୁତ ବହୁତ ବର୍ଷା କରନ୍ତି । ସ୍ୱୟଂ ଦେବତାଙ୍କ ଆଶୀର୍ବାଦ ମୋ ସହିତ ରହିବ । ତେଣୁ ଆପଣ ନିର୍ଭୟରେ ଆପଣଙ୍କ କନ୍ୟାକୁ ମୋ ସହିତ ବିବାହ କରିଦିଅନ୍ତୁ ।

ଏକଥା ଶୁଣି ସେ ସାଧୁ କିଛି ସମୟ ଚିନ୍ତା କଲେ । ତାପରେ ସେ ନିଜ କମଣ୍ଡଳରୁ ମନ୍ତୁରା ପାଣି ସିଂଚି ସେ ଝିଅଟିକୁ ପୁଣି ଲାଲ୍ ବେଙ୍ଗୁଲି କରିଦେଲେ । ବେଙ୍ଗ ମହାରାଜଙ୍କ ସହିତ ସେ ଲାଲ୍ବେଙ୍ଗୁଲିର ବିବାହ କରାଇଦେଲେ । ସାଧୁଙ୍କ ଆଶୀର୍ବାଦ ପାଇ ଦୁହେଁ ଅତ୍ୟନ୍ତ ସୁଖରେ ବସ ବାସ କଲେ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!