ପ୍ରେମ କବିତା




 ଲେଖୁଛି ଆଜି ମୁଁ ପ୍ରେମର କବିତା


ରାତି ଉଜାଗର ହୋଇ


ହୃଦୟର ବାର୍ତ୍ତା ପ୍ରକାଶ କରୁଛି


କବିତାର ରୂପ ଦେଇ ...


କବିତା ନୁହେଁ ଏ ମୋ ମନ ଭାବନା


ହୃଦୟର ସବୁ ବ୍ୟଥା


କହି ତ ନ ପାରି ଲେଖନୀ ଧରିଛି


ଲେଖିବି ଅକୁହା କଥା ...


ଶୁଣ ମୋ ପ୍ରେମିକା ମୋ ମନ ନାୟିକା


ଯାହା କହୁଅଛି ଆଜି


ହୋଇପାରେ କେବେ କହି ନ ପାରିବି


ତୁମର ପ୍ରେମିକ ସାଜି ...


ପ୍ରଥମ ଦର୍ଶନେ କ୍ରୟ କଲ ହୃଦ


ହୃଦୟେ ଚପଳା ସାଜି


ଦର୍ଶନେ ତୁମ୍ଭର ବିକ୍ରି କରିବାକୁ


ହୃଦୟକୁ ହେଲି ରାଜି ...


ତୁମ ଚିନ୍ତନରେ ନିତ୍ୟ ବୁଡି ରହେ


ଭାବ ପାରବାର ମଧ୍ୟେ


ଭାବନା ତରଙ୍ଗ ଉଠୁଛି ପଡୁଛି


ମୋ ହୃଦୟ କୂଳ ମଧ୍ୟେ.


ଜାଣିଅଛି ମୁଁ ଯେ ମୋ ଭାଗ୍ୟ ତ ଅମା


ଅଭିଶପ୍ତ ରାତ୍ରି ପରି


ଚନ୍ଦ୍ରମା ତୁମେ ତ ପୁନେଇଁ ରାତ୍ରିର


ମୋହର ହେବ କିପରି ...


ଜାଣି ମଧ୍ୟ ମୁଁ ଯେ ଅଜଣା ରୁହଇ


ଆମାବାସ୍ୟେ ଚନ୍ଦ୍ର କଥା


ତଥାପି ମୁହିଁ ଯେ ନିତି ରାତି ଲେଖେ


ମୋହର ପ୍ରେମ କବିତା ...