ଭିଜିଗଲା ମୋର, ଶିଥିଳ ଶରୀର,
ତୁମ ପ୍ରେମ ବର୍ଷା ସାଥେ ।
ତୁମେ ପ୍ରିୟା ମୋର, ନୀତି ଆକାଶର,
ଥିଲ ରହି ବର୍ଷା ପଥେ ।।
ଆଜି ହୃଦୟରେ, ଭରିଦେଲ କିଆଁ,
ଆଷାଢ଼ ବନ୍ୟାର କୋହ ।
ତୁମେ ହସୁଥିଲ, ଶ୍ରାବଣ ବଉଦେ,
ଭିଜେଇ ତତଲା ଲୁହ ।।
ସୁକୁମାରି ତନୁ, କୋମଳାଙ୍ଗ ଶିରି,
ଚାହାଣୀରେ ଦିଅ ହାଣି ।
ଆଖିମାରି ତୁମେ, ଲେଖି ଦିଅ କେତେ,
ମୋ ମନ ନେଇଣ ଜିଣି ।।
ଭିଜି ଗଲି ମୁହିଁ, ପ୍ରେମ ବର୍ଷା ପାଇ,
ହଜିଗଲି ସପ୍ତ ରଙ୍ଗେ ।
ହୃଦୟକୁ ଚୋରି, କରି ଦେଲ ଗୋରୀ,
ରହି ଥିବି ସଦା ସଙ୍ଗେ ।।
ଭିଜୁଥିଲି ସିନା, ପ୍ରେମ ବରଷାରେ,
ଖୋଜୁଥିଲି ହୃଦ ତୁମ ।
ଆଜି ବୁଝିଗଲି, ପ୍ରେମ ହୋଇଯାଏ,
ଦେଇ ଯାଏ ସ୍ମୃତି ନାମ ।।
ଆଖି ବୁଝି ମୁହିଁ, ତିନ୍ତୁ ଥିଲି ପ୍ରିୟା,
ତୁମରି ପରସ ପାଇଁ ।
ତୁମରି ପରସ, ଖିଲି ଖିଲି ହସ,
ଜାଣିନି ଭାଗ୍ୟ ମୋ ପାଇଁ ।।
ଭିଜିତ ଯାଇଛି, ହୃଦୟ ମୋହର,
ତୁମ ସାଥେ ପ୍ରିୟା ମୋର ।
ହଜି ମୁଁ ଯାଇଛି, ତୁମ ସ୍ମୃତି ସାଥେ,
ତୁମେ ଥାଅ ସାଥେ ମୋର ।।
ସମ୍ପର୍କ ଭାଙ୍ଗିଲେ, ହୃଦୟଯେ ଭାଙ୍ଗେ,
ଭାଙ୍ଗି ଯାଏ ଭିଜା ମନ ।
ପ୍ରିୟା ଥାଅ ତୁମେ, ଆସାଢ଼େ ଶ୍ରାବଣେ,
ଭିଯାଇ ରାତ୍ରି ସପନ ।।