ଜୀବନ ମୃତ୍ୟୁ

 

ଏଇ ସେ ରଜନୀଗନ୍ଧା,

ଏଇ ସେହି ମଧୁଛନ୍ଦା,

ଏଇ ଉର୍ବଶୀ, ଏଇ ଯେ ମେନକା, ଏଇ ସ୍ୱର୍ଗର ରମ୍ଭା ।


ଏଇ ସେହି ମଧୁମତି,

ଏଇ ସେ ଛନ୍ଦବତୀ,

ମନ୍ଦ ମନ୍ଦ ଗନ୍ଧରେ ଭରେ ଏଇ ସେହି କେଶବତୀ ।


ଏଇ ସେ ହସୁଛି ଓ଼ଷ୍ଠ ଥରାଇ ଭୁବନମୋହିନୀ ରସେ ,

ଏଇ ସେ ନାଚୁଛି ନୂପୁରର ତାଳେ ଅଭିସାରିକାର ବେଶେ ।


ଭୁରୁ ଇଙ୍ଗିତେ ଗୁରୁ ସଙ୍ଗୀତେ ଡାକୁଛି ସେ ହାତ ଠାରି ,

ଉଦ୍ଦାମ ତାର ଯୌବନ ନିଆଁ କାମନାରେ ହୁଏ ଘେରି ।


ଶୁଣାଏ ତାହାର ସ୍ୱପ୍ନର ଗୀତ ପ୍ରଣୟ ଶଙ୍ଖ ବାଇ ,

ଏଇ ଯେ ଅମରା ପାରିଜାତ ଭରା ମନ୍ତ୍ର ସେ ଗାଈ ଗାଈ ।


ଅଦୂରେ ହସୁଛି ଗଗନ କମ୍ପାଇ ଉର୍ମି ସାଗର ବକ୍ଷେ ,

ନିଭାଇଛି କେତେ ସୌଧ ସେ ତାର ଏହି ନିର୍ଜନ କକ୍ଷେ ।


ଉଠିଥିଲା ଏଠି ଦୁର୍ଗମ ଗିରି ଉନ୍ନତ କରି ଶିର,

ସଞ୍ଚିଥିଲା ବି ଦୁର୍ଗ ପ୍ରାଚୀର ରୂପ ସୌରଭ ତାର ।


ଏହି ସୈକତେ ବହିଅଛି କେତେ ପ୍ରୀତି-ଗୀତି ପୟଃ-ଧାର,

ଏଇଠି ହଜିଛି ବିଧୁରା ପ୍ରିୟାର ଉନ୍ମତ୍ତମନା ସୁର ।


କାହିଁ ସେ ଲଳିତ ଛନ୍ଦ ?

ଉର୍ମି-ଝଞ୍ଜା ଅନ୍ଧ ଗହ୍ୱରେ ହଜିଛି ସେ ମଧୁଗନ୍ଧ ।


କାହିଁ ସେ ରଜନୀଗନ୍ଧା ?

ଜୀବନଦ୍ୟୁତିରେ ନଇଁଛି ତାହାର ମରଣାନ୍ତକ ସନ୍ଧ୍ୟା ।


ଶତ ଶଯ୍ୟାର ପ୍ରୀତି ପାର୍ବଣେ ହସୁଥିଲା ଯିଏ କାଲି,

ହଜାଇଛି ତାର ପ୍ରୀତି ହିଲ୍ଲୋଳ ମୃତ୍ୟୁର ଚୋରାବାଲି ।


ହଜିଛି ତାହାର କାଚ ରୁଣୁଝୁଣୁ ଗୀତ ଗୁଣୁଗୁଣୁ ଛନ୍ଦ ,

ମୃତ୍ୟୁ ଦୁଆରେ ନେଇଛି କବର ମଦିରାମତ୍ତ ଗନ୍ଧ ।


ସେ ଯେ ଉର୍ମିର ଗୀତି,

ଆଜି ଯେ ହସୁଛି ଉର୍ବଶୀ ସାଜି ମୃତ୍ୟୁ ତାହାରେ କରେ ଆପଣାର

ଏଇ ଜୀବନର ଥିତି ।


ଏଇ ତ ଜୀବନ ଏଇ ବି ମୃତ୍ୟୁ ଏଉ ନଶ୍ଵର ସତ୍ତା,

ଏ ନୁହେଁ ସତ୍ୟ, ଶିବ-ସୁନ୍ଦର, ନୁହେଁ ଅମୃତ ପନ୍ଥା

ମେଘ ବିରଚିତ, ବାୟୁ ବିଧୁନିତ ଅବଗୁଣ୍ଠନ ତା’ର,

ଅନ୍ତରେ ଦେଖ ଭିତରଟା ଖାଲି କର୍ଦ୍ଦମଭରା ସାର,


ଜୀବନ-ପାତ୍ର ଭରିଉଠୁ ତେଣୁ ଆସ୍ପୃହା ଆବାହନେ,

ଜନମୁଁ ଜନମେ ପଥ ଚାଲିବାରେ ଅମୃତ ସନ୍ଧନେ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!