ବର୍ଷା ରାଣୀ

ବର୍ଷା ରାଣୀ

 ବସୁନ୍ଧରା ବାସ ଉଜୁଡି ଗଲାଣି

ତୁମ ବିନେ ବର୍ଷା ରାଣୀ
ବାସୁଦେବ ବାସ ଉଜାଡି ଯେମିତି
ଦେଇଥିଲେ ଠାକୁରାଣୀ

ଆସ ଆସ ବର୍ଷା ବାସକୁ ମୋହର
ଚାହିଁଛି ଚାତକ ପରି
ପ୍ରୀତି ଦାନ ଦେଇ ମନ ତୋଷ କର
ତୁମେ ମୋ ପୀୟୂଷ ବାରୀ

ଆସ ଗଳାମାଳି ଚପଳା ଚଞ୍ଚଳା
ଚତୁଃର୍ମେଘ ନେଇ ସାଥି
ଦୁଃର୍ଦ୍ଦଶା ତମସା ଅପସରି ଯାଉ
ହୁଏ ମୁହିଁ ଫଳବତୀ

ତୁମ ଠାରେ ମନ ମୋର ଅପଘନ
ଦେଇଅଛି ପରା ବିକି
ସକଳ ସଜୀବ ନିର୍ଜୀବ ଜଗତ
ରକ୍ଷା କର ପ୍ରିୟ ସଖି

ବିରହ ଅନଳେ ପଞ୍ଚ ପ୍ରାଣ ଜଳେ
ଦିଅ ସିଞ୍ଚି ପ୍ରୀତି ବାରୀ
ଜଗତ କାରଣେ ତୁମ୍ଭେ ପରା ମୋର
ଯୁଗେ ଯୁଗେ ମନୋହାରୀ

©® ✍ ଅକ୍ଷୟ ସାହୁ