ଅପ୍ରେମ


 ଖାଲି ଫୋନ୍‌ କି
ଫେସ୍‌ବୁକ ନୁହେଁ

ତୁମ ପ୍ରେମର
ପାସୱାର୍ଡ଼ ପରା ମୁଁ ଥିଲି

ବିଶଲ୍ୟକରଣୀ ପରି ମୋର ସ୍ୱର
କାଳେ ତୁମ ହୃଦୟକୁ ପ୍ରଶମିତ କରୁଥିଲା ,
ଆଉ ସକାଳର ନିଦୁଆ ମୁହଁ ମୋର
ତମ ଜୀବନକୁ ପରା ରାହା ଦେଉଥିଲା ।

ସମୟର ଭାର ଆଉ ଜୀବନର ଜଞ୍ଜାଳ
ସତେ କଣ ଏତେ ଭାରାକ୍ରାନ୍ତ ହେଲା ,
ଏମିତି ବଦଳି ଯାଇ …
କି ଯଶ ଖ୍ୟାତି ଅରଜିବ ହୋ !!!

ପ୍ରେମର ପାସ୍‌ୱାର୍ଡ଼ ତୁମେ ବଦଳାଇ ପାର
ମୋ ନିଦୁଆ ମୁହଁକୁ ଆଜି ଘୃଣା କରିପାର
ମୋ କଣ୍ଠ ସ୍ୱର ତୁମକୁ ବିରକ୍ତି କରିପାରେ
ହେଲେ ମୁଁ କି, ମୋ ପ୍ରେମ ନୁହେଁ ନା ??

ପ୍ରେମର ବୋଝ ମୁଣ୍ଡାଇବା ଅପେକ୍ଷା
ପ୍ରେମକରି ହାରିଯିବା ଶତଗୁଣ ଭଲ
କିଛି ସମ୍ପର୍କରୁ ମୁକ୍ତି ମିଳିଯିବ ତୁମକୁ
ସେ ହେଉ ପଛେ ପ୍ରେମ କି ଅପ୍ରେମର ।

ଅସ୍ଥିର ହୃଦୟକୁ ବୁଝାଇଛି, 
ସେ ତ ବୁଝିଯିବ ।ତେବେ ବି ଭୟ …
ପୁଣି କାଳେ ପ୍ରେମ, ଅପ୍ରେମରେ 
ମନର କ୍ଷତ ସତେଜ ଦିଶିବ
ରକ୍ତର ଝରଟେ ହୃଦୟକୁ ବିଦୀର୍ଣ୍ଣ କରି
ଝରିବାକୁ ବାଟ ଖୋଜୁଥିବ …

©® ✍ ଅକ୍ଷୟ ସାହୁ