ସମ୍ପର୍କ


 ମନ କେମିତି ଯୋଡାଯାଏ
କେବେ କେବେ କେତେ କରି ହୃଦୟ ଖୋଲି ହସିଲେ
ନା’ କୋହ ଧରି ଭାବ ବିହୋଳ ହୋଇ କାନ୍ଦିଲେ ।

ସମୁଦ୍ର କୂଳେ ଏକାକୀ ବସିଥିବା ମଣିଷର
ଭାବୁକ ମନକୁ ପଚାର
ସେ କହିବ କେମିତି ଆସେ ପୁନେଇଁ ତିଥିରେ ଉଚ୍ଚ ଉଚ୍ଚ ଜୁଆର
କୁଳ ଲଙ୍ଘେ ମନ ଫାଟେ ବାଲୁକା ଶେଯରେ ,
ଡେମ୍ଫରୁ ଫୁଲ ଝଡେ ଗୋଟି ଗୋଟି ହୋଇ
କାକର ବି ମିଳେଇ ଯାଏ
ସକାଳ ଗଡ଼ି ଟିକେ ଖରା ଆଗକୁ ମାଡିଲେ ।

ଏଇ ଅସାରା ଅସାରା ବର୍ଷା
ମାଟିକୁ ଭିଯାଏ, ଅଲିଅଳି ବର୍ଷାରେ କେମିତି ଭିଜେ ଚଷା ପୁଅ, 
ଗାଁ ବରଗଛ ସେଥୁରେ ଝୁଲୁଥିବା ବାଇଆ ବସା ।

ମନ ହଜୁଛି କାଶତାଣ୍ଡି ନଈ ତୁଠରେ ପ୍ରିୟାର ଗାଁ’ରେ 
ତା’ ବନ ବିଲ ତୋଟାମାଳେ, ଧୁସର ଧୁଆଁରେ ।
କେମିତି ମଣିଷ ବିଶ୍ୱାସରେ ଜାଲ ବିଛାଏ
ମାଛମନେ ଧରା ଦିଅନ୍ତି ଅତି ସହଜରେ ।

ହମ୍ବା ହମ୍ବା ରଡିଛାଡିଲେ ଟିକି ବାଛୁରୀ ଚାଲିଆସେ ମା’ କୋଳେ ;
ଘାସ ଗାଲିଚାରେ ଫୁଲର ଘରକରି କବିତା ଲେଖେ କବି ,
ସମ୍ପର୍କରର ନୂଆ ନୂଆ ଖିଅ ବୁଣେ ବୁଢିଆଣି
ଏପାରିରୁ ସେପାରିକୁ କେତେ ପ୍ରଯତ୍ନେ ।

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!