ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର
ପାଠ ଯେ ପଢାଇଗଲ
ସେହି ପାଠ ପଢି ବିରହ ଜୁଇରେ
ହେଉଅଛି କଲବଲ।୦ା
ଶୋଚନା ନ କରି ଆଗପଛ କିଛି
ନିଶାରେ ଡୁବିଲି ତାର
ମାଛକଣ୍ଟା ସାଜି ଗଳାରେ ଅଟକି
କରୁଅଛି ହରବର
ପାସୋରିବି ଯେତେ ଭାବୁଛି ସେତିକି
ଜାଳେ ସ୍ମୃତି ନିଆଁ ଝୁଲ।
ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର
ପାଠ ଯେ ପଢାଇଗଲ।୧ା
କୋହ ଓ ଲୁହକୁ ସାଥୀ କରି ନିତି
ମରି ମରି ଚାଲେ ବାଟ
ମରୀଚିକା ପଛେ ଧାଇଁ ଶୋଷେ ଖାଲି
ହୁଏ ଯାହା ଛଟପଟ
ମଝି ଦରିଆରେ ଜୀବନ ତରି ମୋ
ପାଏନାହିଁ ଥଳକୂଳ।
ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର
ପାଠ ଯେ ପଢାଇଗଲ।୨ା
©® ଅକ୍ଷୟ ସାହୁ