ସକାଳ ସୂରୁଜ କିରଣ
ଯେହ୍ନେ ଦେହକୁ ହିତ
ସତ୍ୟର ବିଜୟ ନିଶ୍ଚିତ
ଜାଣେ ସାରା ଜଗତ ll
ଅସ୍ଥିର କରାଏ ଅବଶ୍ୟ
କିଛି କ୍ଷଣକ ପାଇଁ
ବେଶୀ ନୁହେଁ ୟାର ଅବଧି
କେବେ ଭୁଲିବ ନାହିଁ ll
ଯେତେ ଘୋଡାଇଲେ ତାହାକୁ
କେବେ ଲୁଚିବ ନାହିଁ
ପୁଷ୍ପର ସୁଗନ୍ଧେ ଯେସନେ
ବାସ ଚହଟି ଥାଇ ll
ଅଧର୍ମର ନୀତି ଓଲଟା
ଫଳେ ଅଧର୍ମ ଫଳ
ସବୁଦିନେ ରହି ନଥାଏ
ତାର ବାହୁରେ ବଳ ll
ସରିଯାଏ ସବୁ ସମୟ
ହାତ ରହେ ଯେ ଖାଲି
ଅନୁତାପ କରେ ଶେଷରେ
ମୁଁ ଯେ କଣ ପାଇଲି ??
ଅତି ଲୋଭ ମୃତ୍ୟୁ କାରଣ
ପ୍ରାୟ ସର୍ବେ ଜାଣନ୍ତି
ମୋର ମୋର କହି ଶେଷରେ
ନିଜେ ନିଃସ୍ୱ ହୁଅନ୍ତି ll
ପାଇଛ ଦୁର୍ଲ୍ଲଭ ଜୀବନ
ଏହି ମାନବ ରୂପେ
ତରି ଯିବ ଭବ ସାଗରୁ
ଯିଏ ପ୍ରଭୁଙ୍କ ଜପେ ll
ସିଏ ଏକା ସିନା ମାଲିକ
ତୁମେ ଯାଉଛ ଭୁଲି
ଗଛ ନଥିଲେ କି ପବନେ
ପତ୍ର ଯାଏ ଦୋହଲି ll
ଗର୍ବ ଅହଂକାର କପଟ
ଅଟେ ମାୟାର ଜାଲ
ଦୂରେଇ ରହିକି ନିଶ୍ଚିତ
ବିଭୁ ପଥରେ ଚାଲ ll
ସାର୍ଥକ ହୋଇବ ଜୀବନ
ମର୍ତ୍ତ୍ୟ ମଣ୍ଡଳେ ତୋର
ଧର୍ମ ସିନା ଅଟେ ଆପଣା
ଯୋଡ଼େ ବିଭୁଙ୍କ ଡୋର ll