ମତେ ଭଲ ପାଇବ ତ



ତୁମେ ପଚାରିଲ, 
"ଜୀବନ ସାରା ମତେ ଭଲ ପାଇବ ?"
ତୁମେ ଭଲ ଭାବରେ ଜାଣିଛ
ଏହାର ଉତ୍ତର ଦେବା କଷ୍ଟ ।
ତଥାପି ତୁମେ ବୁଲେଇ କରି
ନୂଆ ପ୍ରକାରର ପ୍ରଶ୍ନ କର
"କେବେ ଛାଡି ତ ଯିବନି ମତେ?"
ଆଉ ମୁଁ ବି ତତକ୍ଷଣାତ  
"ନା, କେବେ ନୁହେଁ " କହି ପ୍ରତିଜ୍ଞା କରି ଦିଏ ।
ବୋଧେ ତାହା ହିଁ
ସେହି ସମୟର ସତ୍ୟ
ଆଉ ସେତକ ପ୍ରତିଶ୍ରୁତି ହିଁ 
ଲୋଡ଼ା ଥାଏ
ସେହି ସମୟରେ
ତୁମର ଏହା ପ୍ରଶ୍ନ ହେଉ 
ବା ଆଶଙ୍କା ତାହା ସବୁ ସତ
ମଣିଷ ଆଉ ମଣିଷର ସମ୍ପର୍କ 
ଦୁଇଟି ପକ୍ଷୀର ସମ୍ପର୍କ ପରି ନୁହେଁ
ସେପରି ହୋଇଥିଲେ 
ସେମାନେ ସାଥି ସାଥି ହୋଇ
ଯୋଡି ପାରା ପରି
ଉଡି ପାରୁଥାଆନ୍ତେ
ଜଣେ କିଏ ଚାଲିଗଲେ
ଆର ଜଣକ ଗୁମସୁମ ହୋଇ
ବାହୁନି କାନ୍ଦୁ ଥାଆନ୍ତା 
ଜୀବନର ଶାଳ୍ମଳୀ ଶାଖାରେ 
ଯେମିତି ସମ୍ପର୍କ ଏବେ
ପକ୍ଷୀ ଆଉ ପକ୍ଷୀର ନୁହେଁ 
ବରଂ ପକ୍ଷୀ ଆଉ ବୃକ୍ଷର 
ଯେଉଁଠି ପକ୍ଷୀ ଟିଏ ସବୁବେଳେ
ଆକୁଳିତ ନୟନରେ 
ବୃକ୍ଷ ଠାରୁ ମାଗେ  
ପ୍ରେମ ଶରଣ ଆଉ ଆଶ୍ରୟ 
ଜାଣିଛି ତୁମେ ଜଙ୍କ ଲାଗିବାକୁ ଦିଅନି
ଆମ ଭଲ ପାଇବାରେ
କେତେ ଚେଷ୍ଟିତ ରହ ତୁମେ
କାହା ହାତ ଛୁଆଁ ବି ନ ଲାଗିବାକୁ 
ଆମ ପ୍ରେମରେ
ଯେମିତି ବାରମ୍ବାର 
କେତେ ଯତ୍ନଶୀଳ ହୁଅ
ରଙ୍ଗ ଦେବାର 
ଆବଶ୍ୟକତା ଯେମିତି ପଡିବନି
ବିଗିଡି ଯାଇଥିବା ସମ୍ପର୍କରେ
କିନ୍ତୁ ସମୟର ଲୁଣି ହାୱା 
ତା କାମ ନିଶବ୍ଦରେ କରୁଥାଏ 
ସମ୍ପର୍କ ଉପରେ
ଆକର୍ଷଣ ଆଉ ଅନାକର୍ଷଣ ଭିତରେ
ବିଚରା ମନ ଝୁଲି ଯାଏ କେବେ 
ଦିଗ ମାପି ନ ପାରୁଥିବା
ନାବିକ କମ୍ପାସ୍ ପରି
ଭଲ ପାଇବାର 
କୋମଳ ଉର୍ବର ମାଟିରେ
ଅଧିକାରବୋଧର ଚେର ମାଡିବାକୁ
କେତେ ସମୟ ଲାଗେ !
ଅଧିକାର ସାବ୍ୟସ୍ତ କରିବାରେ
ଅଚଳ ହୋଇଯାଏ ସ୍ୱଚ୍ଛନ୍ଦ ଗତି
ମୁକ୍ତ ମନ ପକ୍ଷୀର ଡେଣାରେ 
ଅଠା କାଠି ଲାଗିଯାଏ
ସ୍ୱୟଂଭୁ ହୋଇଯାଇ
ପରସ୍ପରକୁ ଦେଖୁ ଆମେ
ପ୍ରେମ ବଦଳରେ
ନିଜ ନିଜର ପ୍ରେମହୀନତାକୁ ମାପି ବସୁ
ଆଉ ୟା ଭିତରେ 
ସେହି ମୂଳ ପ୍ରଶ୍ନ
"ଜୀବନ ସାରା ମତେ ଭଲ ପାଇବ ?"
କେବେଠୁଁ ନିରର୍ଥକ ହୋଇ ସାରିଥାଏ 
ଅସ୍ଵାଭାବିକତାର ଶିକାର 
ହେବାକୁ କିଏ ଚାହେଁ 
ସେଥିପାଇଁ ଦାର୍ଶନିକତାରେ 
ଭରି ଦେବାକୁ ଚାହେଁ ତୁମ ମନ
ତୁମକୁ ଓଲଟା ପ୍ରଶ୍ନ କରି ବସେ-
ସମ୍ପର୍କର ସାଗରରେ
ନିତି ନିତି ଉଠୁଥିବା 
ନୂଆ ଢେଉର ମିଜାଜ଼ କିଏ ଜାଣେ ?
ତୁମେ କୁହ
ତୁମେ କୁହ ଭାବି
ସ୍ଥିରତା ଯଦି ସତ୍ୟ ହୋଇଥାନ୍ତା
ତା ହେଲେ ମୁଁ ତୁମକୁ 
ମିଳି ପାରି ଥାନ୍ତି ?"
ତୁମେ ଚୁପ ରୁହ
ତୁମ ପ୍ରଶ୍ନର ଜବାଵ 
ଲେଉଟା ଢେଉ ପରି
ଫେରି ଆସେ ତୁମ ପାଖକୁ
ନୂଆ ଅଛିଣ୍ଡା ପ୍ରଶ୍ନଟିଏ ହୋଇ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!