ଦେଖାଇ ଛଳ ଛଳ ନାଗରୀ ଢଙ୍ଗ ।
ମୁକୁଳିତ କବରୀ ପକାଇ ପଛେ
ଢଳ ଢଳ ଯୌବନା ତରୁଣୀ ଆସେ ।
ସରଳ ଚାରୁ ହସ ଗୋଲାପୀ ଗଣ୍ଡେ
କନକ ସରୁ ହାର ଉରଜ ମଣ୍ଡେ ।
ଦୋଳଇ କର୍ଣ୍ଣଫୁଲ ଶିର ଚାଳନେ
ହସଇ ରଙ୍ଗ ଆଭା ନୟନ କୋଣେ ।
ଧରି ପିଚିକା ଚମ୍ପା-କଳିକାଙ୍ଗୁଳେ
ପଦ ଚାଳନେ ତୁଙ୍ଗ ଉରଜ ଦୋଳେ ।
ଦେବ ମୋ ହୃଦେ ରଙ୍ଗ ବାସନା ତା'ର
କିପରି କହିବି 'ନା' ହୋଇ ନାଗର ?
ପିଚିକାରୀ ମାରୀ ସେ ପଳାଏ ଗୋରୀ
ଦଉଡି ଧଇଲି ତା' ସୁନୀଳ ଚୋଲୀ ।
ଚାପି ଧଇଲି ବକ୍ଷେ ବକ୍ଷୋଜ ତା'ର
ଆବେଶେ ଆଖି ମୁଦେ ନାଗରୀବର ।
କହିଲି " ଏ କି ରୀତି ନବଯୌବନା,
ରଙ୍ଗ ଦେଇ କି ରଙ୍ଗେ ଯାଉ ନବୀନା !
ରଙ୍ଗକୁ ପ୍ରତିରଙ୍ଗ ଚୁମ୍ବନ ନେଇ
ଯିବୁ ଶୋଭାଙ୍ଗି ! ମୋ ଆଶା ପୂରାଇ ।
ଭାବେ ତନ୍ମୟ ହେଲା ନାଗରୀବର
ଖସିଲା ପିଚିକାରୀ ହାତୁ ତାହାର।
ଉତ୍ତୁଙ୍ଗ ବକ୍ଷ ତା'ର ଭିଡ଼ିଲି ବୁକେ
ଚାପି ରଖିଲି ବାଳା ଅଧର ମୁଖେ ।
ରଙ୍ଗେ ଭିଜିଛି ନୀଳ ଚୋଲୀ ବସନ
ରଙ୍ଗେ ସୁରଙ୍ଗ ଦିଶେ ଚନ୍ଦ୍ର ଆନନ ।
ସୁଠାମ ବାହୁ ଛନ୍ଦା ମୋ କଟି ପାଶେ
ମୁଖୁଁ ତାହାର ପଦ୍ମ ସୌରଭ ଆସେ ।
ଗୋଲାପୀ ଗଣ୍ଡେ ହସେ ଯୁବତୀ ପ୍ରେମେ
ନିମୀଳିତ ନୟନେ ଢଳି ମୋ ବାମେ ।
ଦୃଢ଼ ବାହୁ ବେଷ୍ଟନୀ ମୋ କଟୀଦେଶେ
ବାମାର ଗୂଢ଼ ପ୍ରୀତି ଭାବ ପ୍ରକାଶେ ।
ଆଉ ନ ଯାଏ ଚାଲି ବର ବର୍ଣ୍ଣିନୀ
ପିଇଛି ଯେଣୁ ପ୍ରୀତି-ଅମିୟ ଛାଣି ।
ଛାତିକୁ ଛାତି ପାଶେ ଚାପିଛି ଧରି
ପିଉଛି ରଙ୍ଗ-ସୁଧା ପରାଣ ଭରି ।