ଜାଗର ରାତ୍ରି

 

ବରଷକ ଥରେ ଆସିଛି ଜାଗର

ପ୍ରକମ୍ପିତ ଧରାପୃଷ୍ଠ

ମନ୍ଦିର ବେଢାରେ ଦୀପ ସଳିତାରେ

ଦୂରୀଭୂତ ହେବ ରିଷ୍ଟ ।।


ଜାଗର ରାତିରେ ଜଳିବ ଦୀପାଳି

ଚଉଦିଗ ତୁରୀ ଭେରୀ

ଉଜାଗର ରହି ଶିବ ପୂଜନରେ

ପଡିବ ଆଶିଷ ଝରି ।।

ଦୀପ ପରଂବ୍ରହ୍ମ ଦୀପ ପରଂଜ୍ଞାନ

ଦୀପ ତ ପରମ ଜ୍ୟୋତି

ଦୀପ ପ୍ରଜ୍ବଳନେ ହଟିବ ଅନ୍ଧାର

ଲିଭିଯିବ କାଳ ରାତି ।।


ଉଚ୍ଚାରିତ ହେବ ଶିବମନ୍ତ୍ର କେତେ

ଛୁଇଁବ ଭୂମିରୁ ଭୂମା

ଭକ୍ତିର ସୁମନ ଅଜାଡି ପଡିବ

ସତ୍ୟ, ଶାନ୍ତି, ଦୟା, କ୍ଷମା ।।


ବେଲପତ୍ରେ ପ୍ରଭୁ ଚିର ସୁଶୋଭିତ

ଅରଖ ଫୁଲରେ ମୋହ

ଚମ୍ପା, କନିଅର, ଦୁଦୁରା, ଅଗସ୍ତ୍ୟ

ଶିବଙ୍କର ଅତି ପ୍ରିୟ ।।


ମହାଶିବରାତ୍ରି ପୂର୍ଣ୍ଣତାର ରାତ୍ରି

ଝଲମଲ ମହଦୀପ

ଅମା ଅନ୍ଧକାରେ ଆଲୋକ ବର୍ଣ୍ଣାଳୀ

ଧୋଇଦେଉ ଯେତେ ପାପ ।।


ଜୟ ଶିବଶମ୍ଭୁ ଅଗତିର ଗତି

ହେ ପ୍ରଭୁ ଭୋଳା ଶଙ୍କର

ହେ ମଙ୍ଗଳମୟ ବେଦର ଓଂକାର

ପୁଣ୍ୟତାର ଗଙ୍ଗାଝର ।।