ନାରୀର କପାଳେ ଲେଖିଥିଲ ଯଦି
ଦୁଃଖ କଷ୍ଟ ପୁଣି ଏତେ ,
କିପାଇଁ ନାରୀକୁ ଉଚ୍ଚାସନ ଦେଇ
ରଖିଥିଲ ପ୍ରଭୁ ସତେ ।
ନାରୀର ହୃଦୟ ଗଢିଥିଲ ଯଦି
ଏତେ ପୁଣି ଦୁରୁବଳ,
କିପାଇଁ ନାରୀକୁ ଶକ୍ତି ସ୍ବରୁପାର
ଦେଇଥିଲ ଆତ୍ମବଳ ।
ଲକ୍ଷ୍ମୀ ମା' ମାନ ରଖିବା ପାଇଁକି
ବାର ବର୍ଷ ଭିକ୍ଷା କଲ,
ଯୁଗ ଯୁଗ ପାଇଁ ନାରୀ ଜାତିର ଯେ
ଧ୍ବଜା ତୁମେ ଉଡାଇଲ ।
ଆଜି କାହିଁ ପାଇଁ ଶୋଇଗଲ ତୁମେ
ଦେଖି ନାରୀ ବଳାତ୍କାର,
କିମ୍ପା ତୁମେ ଆଜି ଦୁଃଖ ଶୁଣୁ ନାହଁ
ପାଲଟି ଗଲ ପଥର ।
ଇତିଶ୍ରୀ ବେବିନା ନିର୍ଭୟା ପ୍ରିୟଙ୍କା
ଆଉ କେତେ ନାରୀ ପୁଣି,
ତୁମ ଆଖି ଆଗେ ଜୀବନ ହାରିଲେ
ପାରୁ ନାହଁ କିବା ଜାଣି ।
ପୁରୁଷ ପଣିଆ ଜାହିର କରନ୍ତି
ଏଠି କାମାନ୍ଧ ପୁରୁଷ,
ପ୍ରଭୁ ତୁମେ ଆଜି ଚୁପ୍ ବସିଅଛ
କିମ୍ପାଇଁ କରିଛ ରୋଷ ।
ଆସ ଅବତରି କଳକୀ ରୂପ ଧରି
ଏ ଧରା ଧାମକୁ ସତେ ,
ନାରୀକୁ ସୁରକ୍ଷା ଦିଅ ତୁମେ ଆଜି
ନାଶ କରି ପାପୀ ଯେତେ ।