ସିନ୍ଦୁର

 

ଭଲ ପାଇବାରେ  ବୟସ ନଥାଏ

       ମାପିବାର ଗଭୀରତା

ଦେଖି ଦେଲେ ଥରେ   କିଣି ନିଏ ମନ

        ହୃଦୟର ନୀରବତା ll

ପ୍ରେମର ପିଆଲା    ବୁଝିବ ସେ କାହୁଁ

         ପ୍ରୀତି ନିଶା ମାଦକତା

 ଚନ୍ଦ୍ର କି ବୁଝିବ    ଚକୋରୀ ବିରହ

          ବୁଝେ କଇଁ ମନ ବ୍ୟଥା ll

  ନିର୍ଝରିଣୀ ବୁକେ  ଶିଳାର ଆଘାତ

           ନଡରି ଲମ୍ଫେ ତା କୋଳେ

  ଉନ୍ମାଦନା ଢେଉ    ଲଙ୍ଘେ ବାର ବାର

           ଏକାକାର ହୋଇ ଜଳେ ll

  ଆକାଶେ ଚନ୍ଦ୍ରମା  ବିଜୁଳି ଅନଳ      

          ନିତି କେତେ ରଙ୍ଗେ ଖେଳେ

  ପ୍ରେମେ ଉଦ୍ଭାସିତ    ପ୍ରୀତିଭରା ରାତି

           କାମନା ଦୀପାଳୀ ଜାଳେ ll

  ଚୁମିବାକୁ ଥରେ    ଗୋଲାପି ଅଧର

           ଖୋଜେ ଉଷ୍ମ ନିବିଡ଼ତା

   ବିତିଯାଏ  ନିଶି    ଜୋଚ୍ଛନାରେ ଭିଜି

           କାମନାର ମାଦକତା  ll

   ସିନ୍ଦୂର ଟୋପାଏ   ମାଗେ ପରିଚୟ

            ବୁଝ ନାହିଁ ତମେ ଜମା

    କାମିନୀ ମଥାରେ   ଅଲୋଡା ନୁହଁଇ

           ହୁଅଇ ଯେବେ ସେ ବାମା ll