କର୍ତ୍ତବ୍ୟ ରଥରେ ପିତାମହ ଭୀଷ୍ମ
ଦୁଃଖ ରଥେ ଯୁଧିଷ୍ଠିର,
ସେନେହ ରଥରେ ଥିଲ ସଖା କୃଷ୍ଣ
ଦଣ୍ତ ରଥେ ଥିଲ ଭୀମ ॥
ପେଟେ ଓଦାକନା ଅଧରରେ ମଧୁ
ଆଶୀର୍ବାଦ ଝୁଲା ଧରି,
ଶିରାଳ ବାହୁରେ ଶୁଭାଶୀଷ ଦେଇ
ଚାଲୁଥିଲ କର୍ମ କରି ॥
ହିମାଳୟ ଥିଲ ଧର୍ଯ୍ୟ ସହଣୀରେ
କର୍ମବୀର କର୍ମକାଣ୍ତେ,
ସେବାର ରଥରେ ଦିନମଣୀ ସାଜି
ଯଶ ରଖିଲ ବ୍ରହ୍ମାଣ୍ତେ ॥
ଚଲା ଶିଖାଇଲ ଶୁଭ ଶଂଖ ନାଦେ
ସଂସ୍କାରି କଲ ମହୀରେ,
ସଂସାର ଜୀବନ ପରିଚୟ ଦେଇ
ଟେକ ରଖିଲ ଧରାରେ ॥
ନାରାୟଣ ସାଜି ଜନନୀ ସଂଗତେ
ସଂଜୀବନି ପିଣ୍ତେ ଦେଲ,
ଆଦର୍ଶ ଦମ୍ପତି ରହି ଧରତୀରେ
ଯଶ ମଣ୍ତନ କରିଲ ॥
ସଂସାର ନାବରେ ନାଉରୀ ସାଜିଣ
ପରିବାର ନେଲ ବାହି,
କାଳ କବଳରେ ଇହଧାମ ଛାଡି
ଗଲ ବଇକୁଣ୍ଠ ଭୂଇଁ ॥
ଯେଉଁ ହାତ ଥିଲା ତୁମରି ସର୍ଜନା
ସେ ହାତ ନିଷ୍ଠୁର ହେଲା,
ତବ ସ୍ଥୁଳ ଦେହ କାନ୍ଧେ ବୋହି ନେଇ
ଜୁଇରେ ସମର୍ପି ଦେଲା ॥
ନିୟତିର ଖେଳ ଅଟେ ମହାକାଳ
ସଭିଏଁ ରଜ୍ଜୁରେ ବନ୍ଧା,
ସର୍ବେ ନିଜ ନିଜ କର୍ମକାଣ୍ତ ସାରି
ଲଭିବେ କାଳର ଖନ୍ଦା ॥
ଭାରି ମନେପଡ ଆଜି ଦିବସରେ
ଦିଶିଯାଏ ତବ ମୁହଁ,
ଅସହାୟ ମୁଁ ଯେ ତୁମରି ସନ୍ତାନ
ଆଖିରୁ ଝରାଏ ଲୁହ ॥