ଆଜିର ପ୍ରେମ

 

କାହିଁ ସେ କୁଞ୍ଜବନ ଅଳସୀ ଜହ୍ନ
ଯମୁନା ତଟର ଶୀତଳ ପବନ
ଅଙ୍ଗେ ଅଙ୍ଗେ ଭରିଦେଉଥିଲା 
ଉଷ୍ଣତାର ମଧୁର ଆଲିଙ୍ଗନ
ପ୍ରୀତି ମଧୁଝରା ଗାଢ ଚୁମ୍ଵନ 
ଲୁଚା ଛପା ପ୍ରେମ ଛାତିର ହୃଦକମ୍ପନ
ଆନମନା ହୁଏ ଅଥୟ ମନ ।

ଚାତକ ସମ ଚାହିଁ ରହିଥାଏ 
ପ୍ରେମିକଟିଏ କାହାର ହାତ ଲେଖା ଚିଠିକୁ
ଜଉମୁଦ ନୀଳ ଲଫାପାରୁ
ପ୍ରେମର ଜହ୍ନଟିଏ ଉଙ୍କିମାରେ
ହୃଦୟେ ଶୀତଳତାର ଶିହରଣ ନେଇ
ଆଦ୍ୟଆଷାଢର ଭିଜାମାଟି ବାସ୍ନାରେ
ମହକି ଉଠୁଥିଲା ଯେମିତି ପରାଣ ।
 
ପ୍ରେମ ଆଜି ଭାରି ଶସ୍ତା 
ରାତି ବଢିଲେ ଭିଡ ଜମେ
 ଅନଲାଇନ ବଜାରେ ଏଠି
ଦେହର କିଣାବିକା ହାଟେ
ବିକ୍ରିହୁଏ ଉତ୍ତେଜକ ଭରା ଚୁମ୍ଵନ ।

କୃଷ୍ଣମାନଙ୍କୁ କେଳି କରିବାକୁ 
ଲୋଡାନାହିଁ ଆଉ ଯମୁନା କୂଳ କି କଦମ୍ଵମୂଳ
ଭୟ ଲାଜ ସରମ ନାହିଁ କାହାକୁ ଆଜି
କେହିପାରିବେନି ଦେଖି ଆମକୁ
ମୋବାଇଲରେ ତାଲା ପଡିଛି 
ଚୁପଚାପ ଗପସପ ହେବା 
କେହି ପାରିବେନି ଶୁଣି
ଯେତେଦୂରେ ଥିଲେ ବି ତୁମେ 
ଅଛ ମୋ ଆଙ୍ଗୁଳି ଟିପ ଅଗେ ସାରାଦିନ ।

 ଭୋକ ଶୋଷ ମେଣ୍ଟିଗଲାପରେ କାହିଁ କେଜାଣି
ପୁଣି ପ୍ରତିରାତିରେ ଜନ୍ମନିଏ ଅସୁରଟିଏ
ଖିନଭିନ କରିବାକୁ ଇଚ୍ଛାହୁଏ 
ଦେଖିଲେ କଅଁଳ ନରମ କଞ୍ଚାମାଂସ
ଅର୍ଥ ଦେହର ଉତ୍ତାପ ଅଛି ଯେତେଯାଏଁ
ସଭିଏଁ ଦେଉଥିବେ ମାନ ସମ୍ମାନ ।

©®ଅକ୍ଷୟ ସାହୁ