ଗାଁ ଓ ଜହ୍ନ

 ଗାଁ ମୋର ଏବେ କଇଁ କଇଁ କାନ୍ଦେ

ତୁଟିଲାଣି ତା’ର ଶିରି

ଅତୀତର ସ୍ମୃତି ବିଦାରେ ତା’ ବକ୍ଷ

ଦିନ ଯାଏ ଝୁରି ଝୁରି ।


ନାହିଁ ତୋଟାମାଳ କିଆ ଗୋହିରୀ ଲୋକ

ନାହିଁ ନଦୀ କୁଳୁ ସ୍ୱନ

ବାଉଁଶ ବଣରୁ ଶୁଭୁନାହିଁ ଆଉ

କୁଆ କୋଇଲୀ ଗୁଞ୍ଜନ

ଗାଁ ଚଉପାଢ଼ୀ ପଡ଼ିଅଛି ଖାଲି

ଜୀବନ ଯୁଦ୍ଧରେ ହାରି ।


ହୁଏ ନାହିଁ ଦୋଳ ଯାତରା ତ ଆଉ

ଚନ୍ଦନ ପଚାରେ କିଏ

ରଜ ଦୋଳି ଗୀତ ଚୂଲୀକି ଗଲାଣି

ଚାଷୀ କାନ୍ଦି ମରେ ହାଏ

ଜମିବାଡ଼ି ସବୁ ପଡ଼ିଆ ପଡ଼ିଚି

ମନେ ଅବଶୋଷ ଭରି ।


ନୂଆବୋହୂ ଆଉ ବଡ଼ି ସକାଳରୁ

ଫୁଙ୍କୁନାହିଁ ଶୁଭ ଶଙ୍ଖ

ଦେବା ଦେବୀ ସବୁ ଅପୂଜା ରହନ୍ତି

ଝିଅଙ୍କ ନଥାଏ ଭେକ

ପାଶ୍ଚାତ ବେଶକୁ ଆଦର କଲେଣି

ସିନ୍ଦୂକେ ସାଇତା ଶାଢ଼ୀ ।


ବୋଉ ଖୁଡ଼ୀଙ୍କର ଯୁଗ ତ ଗଲାଣି

ମର୍ଯ୍ୟାଦା ମିଳିବ କାହୁଁ

ବୁଢ଼ା ବୁଢ଼ୀ ସବୁ ଅଣଦେଖା ହେଲେ

ଯୁବକ କାଢ଼ିଲେ ଭାଉ

ତାଙ୍କରି ଆଦେଶେ ଚାଲେ ଗାଆଁ ଆଜି

ଉଦ୍ଧତ ହେଲେଣି ନାରୀ ।


ସୁରୁଜ ଉଇଁଳେ ପୂରୁବ ଆକାଶେ

ମଳିନ ଦିଶେ ତା’ ଶୋଭା

ପୁନେଇଁ ଜହ୍ନର ତେଜ ନାହିଁ ଆଉ

ବିଧବା ବଧୂ ସେ ଅବା

ସେ ଜହ୍ନ ସେଦିନ ଆସିବକି ଆଉ

ରୂପେଲୀ ଜୋଛନା ଝାରି ।


କରମ ବନ୍ଧନେ ଆମେ ଯଦି ଆଜି

ସହରେ କରିଛୁ ଘର

କେବେ କେବେ ପୁଣି ଗାଆଁକୁ ଆମର

କରିବା ଚାଲ ନିଜର

ଫେରିଲେ ଗାଆଁକୁ ପୂରୁବ ଜହ୍ନଲୋ

ସବୁ ମନ ଯିବ ପୁରି ।


କଇଁ ହସୁଥିବ ନୀଳ ଜଳ କୋଳେ

ଜହ୍ନ ଦେଉଥିବ ଚୁମା

ପରଶେ ହରଷ ହେଇଥିବେ ଦୁହେଁ

କରି ଆମ ଦୋଷ କ୍ଷମା

ଏଇ ପରମ୍ପରା ଆଣିଲେ ଫେରାଇ

ଦେଶ ହେବ ସ୍ୱପ୍ନ ପୁରି !


©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!