ଚାକିରି ନ ପାଇ ନିଜ ରାଜ୍ୟ ଛାଡି
ଯାଇଥିଲି ବହୁ ଦୁଃଖେ
ବାହାର ରାଜ୍ୟ ରେ ରୋଜଗାର କରି
ରହୁଥାଏ ବହୁ ସୁଖେ ।।
ରୋଜଗାର କରି ସେଥିରୁ କିଛି ମୁଁ
ଘରକୁ ପଠାଇ ଥାଏ
ଘର ଲୋକେ ମୋର ମାସ ଶେଷ ଟିକୁ
ବ୍ୟାଙ୍କ୍ କୁ ଦଉଡୁ ଥାଏ ।।
ଘର ଦ୍ବାର ଛାଡି ବାହାର ରାଜ୍ୟ କୁ
ଯିବା କୁ ମନ ନ ଥାଏ
ପରିସ୍ଥିତି ମୋତେ ବାଧ୍ୟ କରିଥାଏ
ଯିବାକୁ ହିଁ ପଡ଼ିଥାଏ ।।
ସ୍ତ୍ରୀ ପିଲା ଛୁଆ ଚାହିଁ ରହିଥାନ୍ତି
ଫେରିବା ବାଟ କୁ ମୋର
ଆସିବି କେବେ ମୁଁ ତାଙ୍କ ପାଇଁ ନେଇ
ଭଲ ଭଲ ଉପହାର ।।
ବର୍ଷ ସାରା ମୋତେ ମୋନେ ନ ପକାନ୍ତି
ସାଙ୍ଗ ସାଥି ମାନେ କେବେ
ଘରେ ପହଞ୍ଚିଲେ ପାଖ ନ ଛାଡନ୍ତି
ଆସିଲେ ମୁଁ ଗାଆଁ ଯେବେ ।।
ସଭିଏଁ କହନ୍ତି ବାହାରୁ ଆସିଛୁ
ଆମ ପାଇଁ କଣ୍ କାହିଁ
କୁହଇ ତାଙ୍କୁ ମୁଁ ବ୍ୟସ୍ତ ହୁଅ ନାହିଁ
ଆଣିଛି ତୁମରି ପାଇଁ ।।
ପେଟ ପାଇଁ ସବୁ ଏହି ରାଜ୍ୟ ଛାଡି
ଯାଇଛନ୍ତି ବହୁ ଲୋକ
ଆମ ରାଜ୍ୟେ ଯେବେ ଫେରଇ ଆମେ ତ
ନାମ ପ୍ରବାସୀ ଶ୍ରମିକ ।।
ଆମରି ପାଇଁକି କଳକାରଖାନା
ଗଢିଅଛି ଆଜି ସବୁ
କାମ ନ କରିଲେ ପେଟ ନ ପୋଷିଲେ
କେମିତି ବଞ୍ଚିବୁ ଭାବୁ ।।
ବାହାର ରାଜ୍ୟ ରେ କାମ କରୁ ବୋଲି
କରିଥାନ୍ତି ଉପହାସ
ଜାଣନ୍ତି ନାହିକେ ଦାଦନ ଙ୍କ ପାଇଁ
ଚାଲିଅଛି ଏଇ ଦେଶ ।।
ଘର ଟିକୁ ମୋର ଚଳେଇବା ପାଇଁ
ଯାଇଥିଲି ମୁଁ ସୁରଟ
ଘର କୁ ଫେରି ମୁଁ ଦେଖଇ ଯେବେ ତ
ବନ୍ଦ ମୋ ପାଇଁ କବାଟ ।।
ଯେତେ ଯାହା ମୁଁହି ଉପାର୍ଜନ କଲେ
କହନ୍ତି ତୁ ଗୋଟେ ଦାଦନ
ତିନି ଅକ୍ଷର ରେ ନାମ ଟି ଶୁଣିଲେ
ଲାଗେ ବଡ଼ ଅପମାନ ।।
ଦାଦନ ଶ୍ରମିକ ନାମେ ଆଜି ମୁଁହି
ହୋଇଅଛି ଅଭିହିତ
ତା ସାଙ୍ଗେ ପ୍ରବାସୀ ଶ୍ରମିକ ବୋଲି ମୁଁ
ହେଉଅଛି ଯେ ନିନ୍ଦିତ ।।
©®ଅକ୍ଷୟ ସାହୁ