ଦଶହରା

 

ସୁନୀଳ ଆକାଶୁ କୃଷ୍ଣ ବାଦଲ

ଯେବେ ଆପେ ହଟିଯାଏ

ରୂପା ପରି ଧଳା ମେଘ ଖଣ୍ଡ ସଙ୍ଗେ

ଆଶ୍ଵିନ ହିଁ ଆସିଯାଏ ।


କାଚ କେନ୍ଦୁ ଭଳି ନିର୍ମଳ ଜଳରେ

ଫୁଟିଥାଏ ପଦ୍ମ କଇଁ ,

ନଦୀ ପଠା କାଶତଣ୍ଡୀରେ ଭରିକି

ଆସନ୍ତି ଜଗତ୍‌ ମାଇ ।


ଗାଁ ସହରର ଗଳି କନ୍ଦି ସବୁ

ପଡ଼ି଼ଉଠି ନାଚୁ ଥାଏ

ଘରେ ଝିଅ ଭଗ୍ନୀ ଗହଳ ଚହଳେ

ଦିବାନିଶି ଯାତ ହୁଏ ।


କିଣାକିଣି ସଜାସଜିରେ ସବୁଠି

ଖରଚ ହୁଏ ବହୁତ

ଆଲୋକ ମାଳାରେ ପୂଜାର ମଣ୍ଡପେ

ରାତ୍ରିରେ ହୁଏ ପ୍ରଭାତ ।


ଆଦ୍ୟାଶକ୍ତି ମାଁ ଦୂରୁଗାଙ୍କୁ ଲୋକେ

ମାନନ୍ତି ପବିତ୍ର ମନେ,

ମହିଷାସୁର ଓ ଦୁଷ୍ଟ ଦଶାନନ

ମରିଥିଲେ ଏହି ଦିନେ ।


ଜିଉନ୍ତିଆ ଦଶହରା କରିଥାନ୍ତି

ପୁରପଲ୍ଲୀ ସବୁ ଠାରେ

ପୁଅ ଭାଇ ତଥା ନିଜର ପାଇଁକି

ମା’ ଭଉଣୀ ସରାଗରେ ।


ଋତୁଙ୍କର ମଧ୍ୟେ ଶରତ ଯେ ଶ୍ରେଷ୍ଠ

କହିଛନ୍ତି ଋଷିମୁନି ,

ସ୍ୱର୍ଗୁ ଆଗମନ କରିଥାନ୍ତି ନିଜେ

ଜଗତ୍‌ଦାତ୍ରୀ କାତ୍ୟାୟିନୀ ।


ବିଜ୍ଞାନର ଯୁଗେ ଦଶହରା ପର୍ବ

ଭରିଥାଏ ହସଖୁସି,

ନିଷ୍ପ୍ରାଣ ଶରୀରେ ଅପରୂବ ଶକ୍ତି

ଶାନ୍ତି ଯେ ଦିଏ ପରଶି ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!