ରଜ ଗୀତ



ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ,

ଆସିଛି ରଜ ଲୋ

ଘେନି ନୂଆ ସଜବାଜ ।।

ରାଶିରୁ ଛାଡ଼ିଲା ଚୋପା

ଗୋଡ଼ରେ ନାଇଛୁ ସରୁ ଅଳତା,

ନାଇଛୁ ସରୁ ଅଳତା ଲୋ

ମଥାରେ ସିନ୍ଦୂର ଟୋପା ।।

ଉଡ଼ିଲା ଶୁଆ ନାହାକା

ଦୋଳିଟା କାହିଁକି ଲାଗୁଛି ଏକା,

ଲାଗୁଛି ଏକା ଲୋ

କାହା ବିନା ଏକା ଏକା ।।

ପାଚିଲା ଭଇଁଚ କୋଳି

ବେକରେ ନାଇଚି ଗଜରା ମାଳି,

ଗଜରା ମାଳି ଲୋ

ଝୁଲାଅ ରଜର ଦୋଳି ।।

ପଣସ ପାଚିଲା ବନେ

ବନ ପୋଡ଼ିଗଲେ ଦୁନିଆ ଜାଣେ,

ଦୁନିଆ ଜାଣେ ଲୋ

ମନକଥା କିଏ ଜାଣେ ।।

ଶଙ୍ଖ ମଲମଲ ଗିନା

ଦରଦ ଜାଣେଲୋ ଦରଦୀ ସିନା,

ଦରଦୀ ସିନା ଲୋ

ବଣିଆ ଚିହ୍ନେଟି ସୁନା ।।

ନିମ୍ବର ବୁକେ ଚନ୍ଦନ

ଦେବତା ଗଢ଼ାଇଲା ନାରୀ ଜୀବନ,

ନାରୀ ଜୀବନ ଲୋ

ଦେଲା ତହିଁ ଯଉବନ ।।

ଢମଣା ଛାଡ଼ିଲା କାତି

ପୁରୁଷ ସିନାଲୋ ଭ୍ରମର ଜାତି,

ଭ୍ରମର ଜାତି ଲୋ

ନୂଆ ଖୋଜୁଥାନ୍ତି ନିତି ।।

ଚାନ୍ଦରେ କଳଙ୍କ ଚିହ୍ନ

ନବ ଯଉବନି କିଆଁ ଗୁମାନ,

କିଆଁ ଗୁମାନ ଲୋ

ଆସିଲେଣି ଜୀବ ଧନ ।।

ପୋଖରୀ ତୁଠ ପଥର

ତତେ ଦେଖିଥିଲି ବାଲି ବନ୍ଧରେ,

ବାଲି ବନ୍ଧରେ ଲୋ

ଆଖି ଥିଲା ଏଣେ ତୋର ।।

ସାହାଡ଼ା ଗଛର ଛାଇ

ସେଦିନ କଥାକି ତୋ ମନେ ନାଇଁ,

ମନେ ନାଇଁ ଲୋ

ଏତେ ଆନମନା କାହିଁପାଇଁ ।।

ଖୋସାରେ ଖୋସିଲି ଫୁଲ

କେତେ ଦେଖାଉଛୁ ନୁଖୁରା ଗେଲ,

ନୁଖୁରା ଗେଲ ରେ

ଭାଙ୍ଗି ଦେବି ତୋର ଗାଲ ।।

ନଈର ଶୁଖିଲା ବାଲି

କେତେ ଫୁଲି ହେଉ ପୁଚୁକିଗାଲି,

ହେଉ ପୁଚୁକିଗାଲି ଲୋ

ଦେଖାଉଛୁ କେତେ ବେଲି ।।

ବାଜିଲା ତେଲିଙ୍ଗି ବାଜା

ରସିକ ଯେ ଜାଣେ ସ୍ନେହର ମଜା,

ସ୍ନେହର ମଜା ରେ

ସେ ସିନା ମୋମନ ରଜା ।।

ଲୁଚିଗଲା ମେଘେ ଚାନ୍ଦ

ଦୋଳି କଟକଟ କରେ ଶବଦ,

କରେ ଶବଦ ଲୋ

ବହନ୍ତେ ପବନ ମନ୍ଦ ।।

ଦୋଳି ହୁଏ କଟକଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,

ସୁନା ମୁକୁଟ ଲୋ

ଦିଶୁଥାଏ ଝଟଝଟ ।।

ପରବତେ ଜଳେ ନିଆଁ

ପହଞ୍ଚାଇ ଦୋଳି ତେଣେ ନ ଚାହାଁ,

ତେଣେ ନ ଚାହାଁ ଲୋ

ପୁଣି ହେବ ବାଆଁ ଡାଁ ।।

ଉତୁରି ପଡ଼ିଲା ଦୁଧ

ଉଙ୍କି ମାରି ମାରି ଅନାଉ ଥାଏ,

ଅନାଉ ଥାଏ ଲୋ

ନନ୍ଦର ଉଦିଆ ଚାନ୍ଦ ।।

ଛତରା ବଜାର ହାଟ

ଛକି ବସିଥିବ ଚଗଲା କାହ୍ନୁ,

ଚଗଲା କାହ୍ନୁ ଲୋ

ଛନ୍ଦରେ ମାଗିବ ଘାଟ ।।

ଥୋଡ଼ମଞ୍ଜା କଲି ରାଇ

କଣ ନ କଲେ କଳା କହ୍ନାଇ,

କଳା କହ୍ନାଇ ଲୋ

ମୁହଁକୁ ଯା ନ ଅନାଇ ।।

କରମଙ୍ଗା କଲି ରାଇ

ମଥୁରାକୁ ଗଲେ କଳା କହ୍ନାଇ,

କଳା କହ୍ନାଇ ଲୋ

କଣ୍ଟ ଦେଇ ଗଲେ କାହିଁ ।।

ସାଉଁଟିଲି ବିଲ ଘଷି

କିମ୍ପାଇଁ ରାଧିକା ବସିଲା ରୁଷି,

ବସିଲା ରୁଷି ଲୋ

ଫୁଲ ଶେଜ ହେଲା ବାସି ।।

କଟକଟ ହୁଏ ଦୋଳି

ଭାଉଜଙ୍କ ମନ ଯାଇଛି ଜଳି,

ଯାଇଛି ଜଳି ଲୋ

ଭାଇ ବିଦେଷୁ ନଇଁଲେ ବୋଲି ।।

ଗରଜେ କଳା ବଉଦ

ମୋତେ ତ ବରଷ ହେଲା ଚଉଦ,

ହେଲା ଚଉଦ ଲୋ

ଗଲାଣି ପିଲା ସୁଆଦ ।।

ବଇଁଶୀ ବାଜିଲା କୁଞ୍ଜେ

ବଡ଼କଥା ବଡ଼ ଲୋକଙ୍କୁ ସାଜେ,

ଲୋକଙ୍କୁ ସାଜେ ଲୋ

ଛୋଟ କଲେ ଛାଟ ବାଜେ ।।

ଲାଞ୍ଜ ଟେକିଗଲା ବାଘ

ନଇଁ ଚାଲୁଥିବ ବଡ଼ଙ୍କ ଆଗେ।

ବଡ଼ଙ୍କ ଆଗେ ଲୋ

ଲାଗିବ ନାହିଁଟି ଦାଗ ।।

ଛତୁ ଫୁଟେ ବରଷାରେ

ଛତରାଟା କେତେ ଛଇ ଦେଖାଉ,

ଛଇ ଦେଖାଉ ରେ

ଅଛି କି ତୋ ଭରଷାରେ ।।

କରଡ଼ି ଖସିଲା ଆମ୍ବ

ପର କାହୁଁ ଘର ପରାଣୀ ହେବେ,

ପରାଣୀ ହେବେ ରେ

ମନ ଜାଣି ଖଞ୍ଜି ଦେବ ।।

ବିରାଡ଼ି ଛିଙ୍କିଲା ବଣେ

ଆଗରେ ଯାଉଛି ନାଗର ଜଣ

ନାଗର ଜଣେ ଲୋ

ମୁଣ୍ଡି ଝାଡୁ ଖାଲି ପଣେ ।।

ଅଦିନେ ପଣସ ସିଠା

ବଚନରେ ଯାର ନଥଏ ମିଠା,

ନଥଏ ମିଠା ଲୋ

ସେଟା ବାଡ଼ ପକା କଣ୍ଟା ।।

ପାହାନ୍ତି ରାବିଲେ ପେଚା

ଯିଏ ହୋଇଥିବ ସିଂହର ବଚା,

ସିଂହର ବଚା ଲୋ

ନ ଦେବ ପଛଘୁଞ୍ଚା ।।

ମଇଁଷି ଶିଙ୍ଗରେ ଖସା

ମଉସା ପୁଆଟା ଏଡ଼େ ସହସା,

ଏଡ଼େ ସହସା ଲୋ

ମତେ କଲା ଲୋକହସା ।।

ଜାରା ମାରିଦେଲା ବାଣ

ଯାହାଠାରେ ଯାର ମିଶିଛି ମନ,

ମିଶିଛି ମନ ଲୋ

ସେହି ଜାଣେ ତାର ଗୁଣ ।।

କାଟି ଗଲି କଳାଦୁବ

ଝିଅ ଜନମରେ ଏତିକି ଲାଭ,

ଏତିକି ଲାଭ ଲୋ

ବନ୍ଧୁ ଘର ଅରଜିବ ।।

କାଳୀଗାଇ ଧୁଧ କ୍ଷୀରି

ନୂଆ ପୀରତିରେ ମଉଜ ଭାରି,

ମଉଜ ଭାରି ଗୋ

ପୁରୁଣାଟି ନିମ୍ବ ପରି ।।

ଆମ୍ବ ପତ୍ର ଗହଳିଆ

ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ,

ହେବୁ ଗୋଳିଆଲୋ

ତୋଫା ହେବଟି ଧୁଳିଆ ।।

ଥିରି ଥିରି ଚାଲେ ହାତୀ

ଥୟ ନ ହେଉଛି କିମ୍ପା ଏ ଛାତି,

କିମ୍ପା ଏ ଛାତି ଲୋ

ଥକା ଦୋଳି ହେଲା ରାତି ।।


©® ଅକ୍ଷୟ ସାହୁ 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!